କନକ ବ୍ୟୁରୋ:  ଆମେରିକା ସହ ବାଣିଜ୍ୟକ ଚୁକ୍ତି ସମୟରେ ଦେଶର ହିତ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ବୟାନକୁ ବିରୋଧୀଦଳ ନେତା ତାତ୍ସଲ୍ୟ କରିଛନ୍ତି । ଅପରେସନ ସିନ୍ଦୂର ସମୟରେ ଯେମିତି ମୁଣ୍ଡ ନୁଆଇଁଥିଲେ ବାଣିଜ୍ୟ ଚୁକ୍ତିରେ ମଧ୍ୟ କେନ୍ଦ୍ର ସରକାର ଆମେରିକା ଆଗରେ ମୁଣ୍ଡ ନୁଆଁଇବେ ବୋଲି ରାହୁଲଙ୍କ ଭବିଷ୍ୟବାଣୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛି । ଜୁଲାଇ ୯ ତାରିଖ ମଧ୍ୟରେ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷାରିତ ହୋଇପାରେ । ତେବେ ବାଣିଜ୍ୟ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ୱାଶିଂଟନରେ ଉପସ୍ଥିତ ଥିଲେ  ବି ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ବୁଝାମଣା ହୋଇପାରିନି । 

ତେବେ ଯେଉଁ ଦୁଇଟି ବିଷୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନି ସେଗୁଡିକ ମଧ୍ୟରେ ପ୍ରଥମଟି ହେଲା ଆମେରିକାରୁ ଆମଦାନୀ ହେଉଥିବା ମକା ଓ ସୋୟାବିନ ଉପରେ ଭାରତର ଅଧିକ ରପ୍ତାନୀ ଶୁଳ୍କ । ଆମେରିକା ଏହାକୁ କମ କରିବାକୁ ଚାହୁଁଛି କିନ୍ତୁ ଭାରତ ସହମତି ଦେଉନି । ସେହିଭଳି ଦୁଗ୍ଦ ପ୍ରକ୍ରିୟାକରଣ କ୍ଷେତ୍ରରେ ଆମେରିକା ଭାରତୀୟ ବଜାରରେ ପ୍ରବେଶ କରିବାକୁ ଚାହୁଁଛି । ମାତ୍ର ପାଖାପାଖି ୮କୋଟି ଲୋକ ନିଯୁକ୍ତ ଥିବ ଏହି କ୍ଷେତ୍ରରେ ଆମେରିକାର ପ୍ରବେଶକୁ ଭାରତ ବିରୋଧ କରୁଛି ଅନ୍ୟପକ୍ଷରେ ଆମେରିକାର ଶ୍ରମଭିତ୍ତିକ ଶିଳ୍ପ ଯଥା ବୟନ, ରତ୍ନପଥର, ସୁନାଅଳଙ୍କାର, ଚମଡ଼ା, ରସାୟନ ପଦାର୍ଥ ଭଳି ଅପେକ୍ଷାକୃତ ଶସ୍ତା ମୂଲ୍ୟର ବ୍ୟବସାୟରେ ପ୍ରବେଶ ପାଇଁ ଭାରତ ଚାହୁଁଛି । ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ପାରସ୍ପରିକ ଶୁଳ୍କ ନାଁରେ ନୂଆ ଆଇନ ପ୍ରଣୟନ କରିବାକୁ ଘୋଷଣା କରିଥିଲେ । ଏହାକୁ ନେଇ ସମଗ୍ର ବିଶ୍ବରେ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଏହାକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ଟ୍ରମ୍ପ । ଜୁଲାଇ ୯ରେ ଏହାର ସମୟସୀମା ଶେଷ ହେବା ପରେ ଟ୍ରମ୍ପ ପ୍ରଶାସନ ଭାରତର ଆମାଦାନି କରୁଥିବା ସମସ୍ତ ଦ୍ରବ୍ୟ ଉପରେ ୨୬ ପ୍ରତିଶତ ଶଳ୍କ ଲଗାଇପାରେ ।