କନକ ବ୍ୟୁରୋ : ଶେଷ ପର୍ଯ୍ୟାୟରେ ଆଇପିଏଲ ୨୦୨୫ । କିଏ ପିନ୍ଧିବ ଏଥର ବିଜୟ ମୁକୁଟ, ଏ ନେଇ ବଢୁଛି ଉତ୍କଣ୍ଠା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ପହଞ୍ଚିସାରିଥିବା ବେଳେ, ମୁମ୍ୱାଇ-ପଞ୍ଜାବ ମଧ୍ୟରୁ କିଏ ଫାଇନାଲ ଟିକେଟ୍ ପାଇବ, ତାଉପରେ ରହିଛି ସମସ୍ତଙ୍କ ନଜର । ଏଥର ଆଇପିଏଲରେ ଅନେକ ନୂଆ ପ୍ରତିଭା ନିଜ ପ୍ରଦର୍ଶନ ଜରିଆରେ ଚର୍ଚ୍ଚାକୁ ଆସିଛନ୍ତି । ଆଉ ଏହି ତାଲିକାର ଟପ୍ରେ କିଏ ବୋଲି ଯଦି ପ୍ରଶ୍ନ କରାଯାଏ ତେବେ ଉତ୍ତରରେ ଯୁବତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ହିଁ ଆସିବ ।
ମାତ୍ର ୧୪ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲରେ ପଦାର୍ପଣ କରିବା ଓ ମାତ୍ର ୩୫ଟି ବଲରୁ ଦ୍ରୁତ ଶତକ ହାସଲ କରି ସମସ୍ତଙ୍କ ମନ ଜିଣିନେଇଥିଲେ ବୈଭବ । ଛକା ଚୌକାର ବର୍ଷା କରି ବୋଲରଙ୍କ ହୋସ୍ ଉଡାଇଦେଇଥିଲେ ଏହି ୟଙ୍ଗ ଷ୍ଟାର୍ । ଆଇପିଏଲର ଏହି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଶୁକ୍ରବାର ଆଉ ଏକ ସ୍ମରଣୀୟ ଦିନ ହୋଇଛି । ପାଟନା ବିମାନବନ୍ଦରରେ ବୈଭବ ଏବଂ ତାଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୋସିଆଲ ମିଡିଆ ଏକ୍ସରେ ଫଟୋ ପୋଷ୍ଟ କରି ବୈଭବଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଲେଖିଛନ୍ତି, "ପାଟନା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରକୁ ଭେଟିଲି । ତାଙ୍କ କ୍ରିକେଟିଂ କ୍ଷମତା ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ବୈଭବଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।" ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମୋଦୀଙ୍କ ସହ କରମର୍ଦ୍ଦନ କରିବାର ଫଟୋ ବି ଭାଇରାଲ ହୋଇଛି ।
At Patna airport, met the young cricketing sensation Vaibhav Suryavanshi and his family. His cricketing skills are being admired all over the nation! My best wishes to him for his future endeavours. pic.twitter.com/pvUrbzdyU6
— Narendra Modi (@narendramodi) May 30, 2025
ନିଲାମୀ ପ୍ରକ୍ରିୟାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଥିଲା ରାଜସ୍ଥାନ ରୟାଲ୍ସ । ପ୍ରଥମରୁ ୭ଟି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ । ଆଉ ମୈଦାନକୁ ଓହ୍ଲାଇବା ପରେ ପ୍ରଥମ ବଲ୍ରେ ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଏହି ଯୁବ କ୍ରିକେଟର । ଚଳିତ ସିଜିନରେ ୭ଟି ମ୍ୟାଚ୍ ଖେଳି ୨୫୨ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଯେଉଁଥିରେ ଗୋଟିଏ ଦମଦାର ଶତକ ବି ସାମିଲ ଅଛି । ଜୟପୁରରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଏହି ଶତକୀୟ ଇନିଂସ ଖେଳିଥିଲେ ବୈଭବ ।