କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜନ୍ମଦିନ ଅବସରରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କ କଥାବାର୍ତ୍ତା ଖୁବ ଭଲ ଥିଲା ଏବଂ ସେ ନିଜ ବନ୍ଧୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ PM ମୋଦୀଙ୍କୁ ତାଙ୍କ ୭୫ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫୋନ୍ କରି ଶୁଭେଚ୍ଛା ଜଣାଇଥିଲେ । ଶୁଳ୍କ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ବିବାଦ ରହିଛି । ଏହାସତ୍ତ୍ୱେ ଭାରତ ସହିତ ସମ୍ପର୍କ ସୁଧାରିବା ପାଇଁ ଏହା ଆମେରିକାର ଏକ ପ୍ରୟାସ ଭାବରେ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଉଛି ।
ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଏ ବାବଦରେ ସୂଚନା ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, "ଏବେ ମୁଁ ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହେଲି । ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି । ସେ ବହୁତ ଭଲ କାମ କରୁଛନ୍ତି । ନରେନ୍ଦ୍ର, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ ।" ସେପଟେ PM ମୋଦୀ 'ଏକ୍ସ'ରେ ପୋଷ୍ଟ କରି ଜନ୍ମଦିନରେ ଟ୍ରମ୍ପଙ୍କ ଫୋନ୍ କଲ୍ ଏବଂ ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, 'ମୋର ବନ୍ଧୁ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ମୋର ୭୫ତମ ଜନ୍ମଦିନରେ ଆପଣଙ୍କ ଫୋନ୍ କଲ୍ ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ।'
Donald J. Trump Truth Social 09.16.25 02:00 PM EST
— Commentary Donald J. Trump Posts From Truth Social (@TrumpDailyPosts) September 16, 2025
Just had a wonderful phone call with my friend, Prime Minister Narendra Modi. I wished him a very Happy Birthday! He is doing a tremendous job. Narendra: Thank you for your support on ending the War between Russia and Ukraine!…
ମୋଦୀ କହିଛନ୍ତି, 'ଆପଣଙ୍କ ଭଳି ମୁଁ ମଧ୍ୟ ଭାରତ-ଆମେରିକା ବ୍ୟାପକ ଏବଂ ବିଶ୍ୱସ୍ତରୀୟ ଭାଗିଦାରୀକୁ ଶୀର୍ଷକୁ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମେ ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଆପଣଙ୍କ ପଦକ୍ଷେପକୁ ସମର୍ଥନ କରୁଛୁ ।' ଟ୍ରମ୍ପ କହିଛନ୍ତି ଯେ ମୋଦୀ ବହୁତ ଭଲ କାମ କରୁଛନ୍ତି ଏବଂ ସେ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାରେ ମୋଦୀଙ୍କ ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀରେ ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଫୋନ୍ କରିଥିଲେ ଟ୍ରମ୍ପ ।
ଟାରିଫକୁ ନେଇ ନୂଆ ସମ୍ଭାବନା
ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ପ୍ରଥମ ଥର ପାଇଁ ମୋଦୀ ଓ ଟ୍ରମ୍ପ କଥାବାର୍ତ୍ତା ହୋଇଛନ୍ତି । ଟାରିଫ୍ ହ୍ରାସ ଦିଗରେ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରଥମେ ସୋସିଆଲ ମିଡିଆରେ କଥାବାର୍ତ୍ତା ଓ ଏହାର କିଛି ଦିନ ପରେ ଫୋନ୍ରେ କଥାବାର୍ତ୍ତା ଦୁଇଦେଶର ସମ୍ପର୍କକୁ ପୁଣି ଥରେ ସୁଧାରିପାରେ । ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଟାରିଫ ବଢ଼ାଇ ୫୦ ପ୍ରତିଶତ କରିବା ପରେ ନୂଆ ଦିଲ୍ଲୀ ଏବଂ ୱାଶିଂଟନ୍ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଥିଲା ।
ଟାରିଫ୍ ନେଇ ଏମିତି କହିଥିଲା ଭାରତ
ଆମେରିକାର ଟାରିଫ୍ ବୃଦ୍ଧିକୁ 'ଅନୁଚିତ ଏବଂ ଅବିବେକୀ' ବୋଲି କହିଥିଲା ଭାରତ । ଗତ କିଛି ସପ୍ତାହ ମଧ୍ୟରେ ହ୍ୱାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋଙ୍କ ସମେତ ଟ୍ରମ୍ପ ପ୍ରଶାସନର ଅନେକ ଅଧିକାରୀ ଭାରତକୁ ଟାର୍ଗେଟ୍ କରିବା ପାଇଁ ଆକ୍ରାମକ ଭାଷା ପ୍ରୟୋଗ କରିଛନ୍ତି । ବିଶେଷ କରି ରୁଷିଆ ସହିତ ଭାରତର ସମ୍ପର୍କ ଉପରେ । ରୁଷିଆରୁ ଅଶୋଧିତ ତେଲ କିଣିବାକୁ ସମର୍ଥନ କରି ଭାରତ କହିଥିଲା ଯେ ଜାତୀୟ ସ୍ୱାର୍ଥ ସହିତ ସାଲିସ କରାଯିବନି । ଏହାପରେ ଗତ ମଙ୍ଗଳବାର ଭାରତ ଏବଂ ଆମେରିକା ବାଣିଜ୍ୟ ସମ୍ପର୍କକୁ ନେଇ ଏକ ନୂଆ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା ।
ଭାରତରେ ଥିବା ଆମେରିକୀୟ ଦୂତାବାସ କହିଛି ଯେ ଉଭୟ ପକ୍ଷ ନୂଆ ଦିଲ୍ଲୀରେ ଆୟୋଜିତ ଏକ ଦିବସୀୟ ବୈଠକ ସମୟରେ ବାଣିଜ୍ୟ ସମ୍ପର୍କର ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଦୂତାବାସର ଜଣେ ପ୍ରବକ୍ତା କହିଛନ୍ତି, "ଆମେରିକାର ସହକାରୀ ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡନ ଲିଞ୍ଚ ସେପ୍ଟେମ୍ବର ୧୬ରେ ନୂଆ ଦିଲ୍ଲୀରେ ବାଣିଜ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ସହିତ ସାକ୍ଷାତ କରିଥିଲେ । ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଆଲୋଚନା ହୋଇଥିଲା ।"