କନକ ବ୍ୟୁରୋ:  ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ନା ବନ୍ଦ ହୋଇଛି ନା ଆଗକୁ କେବେ ବନ୍ଦ ହେବ । ଯଦି ଆତଙ୍କୀ ମାନେ ପୁଣି ମୁଣ୍ଡ ଉଠାଇବେ, ତେବେ ସେମାନେ ପାତାଳରେ ଲୁଚିଲେ ବି ତାଙ୍କୁ ଖୋଜି ବାହାର କରି ବିନାଶ କରାଯିବ । ଅପରେସନ୍‌ ସିନ୍ଦୂରରେ ସେମାନେ ଭାରତର ଯେଉଁ ଶକ୍ତି ଦେଖିଲେ, ତାହା ଆମ ତୂଣୀର କେବଳ ଗୋଟିଏ ତୀର । ବିହାର କରାକଟରୁ କିଛି ଏଭଳି ଠାଣିରେ ଆତଙ୍କବାଦ ଓ ଏହାର ପୃଷ୍ଠପୋଷକ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 
 
ସେପଟେ ପୁଞ୍ଚ୍ ଗସ୍ତରେ ଯାଇ ଆତଙ୍କୀଙ୍କ ଜରିଆରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନର ପ୍ରୟାସ କାପୁରୁଷତାର ପରିଚୟ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ଯୁଦ୍ଧ ସ୍ଥିତିରେ ପାକିସ୍ତାନ ସାଧାରଣ ନାଗରିକଙ୍କ ଘର, ମନ୍ଦିର ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଟାର୍ଗେଟ କରିଥିଲା । 

Advertisment

ଏହାର ପ୍ରତି ଜବାବରେ ଭାରତୀୟ ସେନା ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା ବୋଲି କହିଛନ୍ତି ଅମିତ୍ ଶାହ । ସରିନି ଅପରେସନ ସିନ୍ଦୂର, ଜାରି ରହିଛି ଭାରତର ଆତଙ୍କୀ ବିରୋଧୀ ଅଭିଯାନ । ଆତଙ୍କବାଦ ଓ ଏହାର ସମର୍ଥକ ମାନଙ୍କୁ ମୁହଁତୋଡ ଜବାବ ଦେବାକୁ ଭାରତ ଆପଣାଇଛି ସ୍ବତନ୍ତ୍ର ରଣନୀତି ।