କନକ ବ୍ୟୁରୋ : ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପାଇଁ ରାଜଧାନୀ ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଛି । ଗୋଟିଏ ପଟେ  ଡିଜିପି ସମ୍ମିଳନୀ ଚାଲିଛି ଆଉ ଏଥିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଭୁବନେଶ୍ୱରରେ ଥିବାବେଳେ ଆତଙ୍କୀ ପନ୍ନୁର  ଧମକ ପୂର୍ଣ୍ଣ  ଅଡିଓ କଲ୍ ଜାରି ହୋଇଛି । ଏହି  ଧମକ ପୂର୍ଣ୍ଣ  ଅଡିଓ  ନିଜେ  ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁ ଜାରି କରିଛି । ଖୋଲାଖୋଲି  ଧମକ ଦେଇଛି ପନ୍ନୁ  । ଡିଜିପି ସମ୍ମିଳନୀକୁ ଟାର୍ଗେଟ୍ କରିବା ସହ ଅଡିଓରେ ପନ୍ନୁ କହିଛି, ହିନ୍ଦୁ ଆତଙ୍କୀ ମୋଦୀ ଭୁବନେଶ୍ବରକୁ ଆତଙ୍କୀ ସହରରେ ପରିଣତ କରିଛନ୍ତି ।  

Advertisment

ଇ-ମେଲରେ ପଠାଇଥିବା ଅଡ଼ିଓ ମେସେଜରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଲୋକସେବା ଭବନରେ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଇ-ମେଲ୍ ଅଡିଓ ମେସେଜରେ ଉଲ୍ଲେଖ ରହିଛି।   

ତେବେ  ଓଡ଼ିଶରା ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍ । ତେବେ ଏନେଇ ସାମ୍ବାଦିକ ଥାନରେ ଏଫଆଇଆର ଦେଇଛନ୍ତି । ପନ୍ନୁ ପଠାଇଥିବା ଧମକପୂର୍ଣ୍ଣ ମେସେଜ ଓଡ଼ିଆରେ ଥିବା ନେଇ ବଢିଛି ସନ୍ଦେହ । ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ଓଡ଼ିଆରେ ଅନୁବାଦ ମଧ୍ୟ କରାଯାଇଛି । ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ଲିଙ୍କ  ଥିବା ନେଇ ସଂଦେହ ଏବେ ଦୃଢୀଭୂତ ହୋଇଛି । କେଉଁଠୁ ଆସିଛି ଏହି ଧମକ ପୁର୍ଣ୍ଣ ଇମେଲ ତାହାର ଖୋଳତାଡ଼ ଚାଲିଛି  ।