କନକ ବ୍ୟୁରୋ : ସବୁବେଳେ ଚର୍ଚ୍ଚାକୁ ରହିବାକୁ, ବିଶ୍ବର ଧ୍ୟାନ ଆକର୍ଷଣ କରିବାକୁ ବୋଧହୁଏ ଚାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେବେ ଭିତ୍ତିହୀନ ଦାବି କରନ୍ତି ତ ପୁଣି କେବେ ପ୍ରଶଂସା ସାଉଁଟିବାକୁ ଯାଇ ଯୁଦ୍ଧ ମଧ୍ୟସ୍ଥତାର କଥା କୁହନ୍ତି । ଏହା ଭିତରେ ପୁଣି ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟାରିଫ ଲାଗୁ ପରେ ରୁଷଠୁ ଭାରତ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିଥିବା ଦାବି କରୁଥିବାବେଳେ ଟ୍ରମ୍ପଙ୍କୁ ଜବାବ ଦେଇଛି ଏମଇଏ । ଭାରତର ବୟାନ..ରୁଷଠୁ ଭାରତ ତୈଳ ଆମଦାନୀ ବନ୍ଦ କରିନି । ଭାରତ କୌଣସି ପରିସ୍ଥିତିରେ କାହାରି ଚାପରେ ରହେନି ।
ବଜାରରେ କ’ଣ ଉପଲବ୍ଧ ଏବଂ ବିଶ୍ୱର ପରିସ୍ଥିତି ଅନୁସାରେ ଦେଶ ନିଷ୍ପତ୍ତି ନେଇଥାଏ।
ଗତ ୩ ସପ୍ତାହ ହେବ ଭାରତ ରୁଷଠୁ କୌଣସି ପ୍ରକାର ଇନ୍ଧନ ଆମଦାନୀ କରୁନଥିବା ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖଣ୍ଡନ କରିଛି ଭାରତ । ଅନ୍ୟପଟେ ଗବେଷଣା ପ୍ରତିଷ୍ଠାନ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ ବା ଜିଟିଆରଆଇ ପରାମର୍ଶଟ୍ଟଭାରତ ରୁଷଠୁ ଅଶୋଧିତ ତେଲ କିଣିବା ବନ୍ଦ ନକରୁ । ଆମେରିକାର ଚାପର ବଶବର୍ତ୍ତୀ ହେବା ଉଚିତ ନୁହେଁ । ଏହାକୁ ପ୍ରତିରୋଧ କରିବା ଉଚିତ । ଭାରତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଓ ଅସ୍ଥିର ବିଶ୍ୱ ପରିବେଶରେ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ
ଯଦି ନଜର ପକାଇବା ଅଶୋଧିତ ତୈଳକୁ ନେଇ ରୁଷ ଉପରେ ଭାରତ କେତେ ନିର୍ଭରଶୀଳ ତେବେ--
-ଭାରତ ପ୍ରତିଦିନ ରୁଷଠୁ ୨.୦୮ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ କରେ
-ବିଦେଶ ରାଷ୍ଟ୍ରଙ୍କ ଆମଦାନୀରୁ ୪୦% କେବଳ ରୁଷ କିଣେ
-ଚୀନ ପରେ ଦ୍ବିତୀୟ ଦେଶ ଭାବେ ସବୁଠୁ ଅଧିକ ଆମଦାନୀ ଭାରତର
-ଇରାକଠୁ ୮.୯୩ ଲକ୍ଷ ବ୍ୟାରେଲ୍, ସାଉଦି ଆରବଠୁ ୫.୮୧ଲକ୍ଷ ବ୍ୟାରେଲ୍
-ୟୁଏଇଠୁ ୪.୯୦ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ
ବନ୍ଧୁତା ରକ୍ଷା କରିବାରେ ଭାରତ ପରି କେହି ହେବନି ଏକଥା ରୁଷ ବେଶ୍ ଭଲଭାବେ ଜାଣେ । ଏପରିକି ୟୁକ୍ରେନ ସହ ଯୁଦ୍ଧକୁ ନେଇ ବିଶ୍ବର ବିରୋଧ ସତ୍ତ୍ବେ ଭାରତ ତୈଳ କିଣୁଛି । ଏଭଳି ସ୍ଥିତିରେ ବନ୍ଧୁ ରାଷ୍ଟ୍ରଙ୍କ ଭିତରେ ଫାଟ ଚାହୁଥିବା ଆମେରିକାର ଆଉ ଏକ ଫମ୍ପା ଦାବି ଉପରେ ଟିପ୍ପଣୀ ରଖି ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।