କନକ ବ୍ୟୁରୋ : ଜନ୍ମଦିନ ଅବସରରେ ଓଡ଼ିଶାବାସୀଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶାରେ ସୁଭଦ୍ରାର ଶୁଭାରମ୍ଭ, ଆବାସ ବଣ୍ଟନ ସହ ରେଲୱେ କ୍ଷେତ୍ରରେ ବିକାଶ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋହନ ସରକାର ଓଡ଼ିଶାର ବିକାଶ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ବଳ ଦେଇଛନ୍ତି ମୋଦୀ । ଜନତା ମଇଦାନରୁ ଓଡ଼ିଶା ପାଇଁ ୩୯୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଆଗକୁ ଓଡ଼ିଶାର ସୁବର୍ଣ୍ଣଯୁଗ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି କୁହାଯାଉଛି ।

ଓଡ଼ିଶା ପାଇଁ ଭଣ୍ଡାର ଖୋଲିଲେ ମୋଦୀ

  • ୨୯୦୦ କୋଟି ଟଙ୍କାର ୮ଟି ରେଳ ପ୍ରକଳ୍ପର ଶିଳାନ୍ୟାସ
  • ୧୦୦୦ କୋଟି ଟଙ୍କାର ୪ଟି ସଡକ ପ୍ରକଳ୍ପର ହୋଇଛି ଶିଳାନ୍ୟାସ
  • ଖୁବଶୀଘ୍ର ପୁରୀ-କୋଣାର୍କ ଟ୍ରେନ୍ ଲାଇନ କାମ ଆରମ୍ଭ ହେବ
  • ହାଇଟେକ ନମୋ ଭାରତ ରାପିଡ ରେଳ ପାଇବ ଓଡ଼ିଶା

ଏହାସହ ପୂରା ଦେଶରେ ୭୫ ହଜାର ମେଡିକାଲ ସିଟ୍ ଯୋଡାଯିବ ବୋଲି କହିଛନ୍ତି ମୋଦୀ । ଯାହାର ଲାଭ ଓଡ଼ିଶାକୁ ମଧ୍ୟ ମିଳିବ ।

ନିର୍ବାଚନ ପରେ ଓଡ଼ିଶା ଗସ୍ତରେ ପ୍ରଥମ ଥର ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ମୋଦୀ । ଯେଉଁଥିରେ ୧ କୋଟି ଘର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମଂଚ ଉପରେ ଆବାସ ହିତାଧିକାରୀଙ୍କ ଘରର ଚାବି ପ୍ରଦାନ କରିଛନ୍ତି । ସେହିଭଳି ୩୦ ଲକ୍ଷ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ବିକାଶରେ ପୂର୍ବୋଦୟର ବିକାଶ ଜଡ଼ିତ । ତେଣୁ ମୋଦୀଙ୍କ ଫୋକସରେ ଏବେ ରହିଛି ଓଡ଼ିଶା ।