କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ । ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା ମୈଦାନରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିବା ସହିତ ମୋଦୀ କହିଥିଲେ, ଭଗବାନ ଜଗନ୍ନାଥଙ୍କ କୃପାରୁ ମୋତେ ଆଉଥରେ ଓଡିଶାର ପବିତ୍ର ଭୂମିକୁ ଆସିବାକୁ ସୁଯୋଗ ମିଳିଛି । ଯେବେ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ବର୍ଷା ହୁଏ, ସେତେବେଳେ ଭଗବାନ ଜଗନ୍ନାଥଙ୍କ ସେବା ସହିତ ଜନତା ଜନାର୍ଦ୍ଦନଙ୍କ ସେବା କରିବାର ଅବସର ମିଳିଥାଏ ।

ଓଡିଶାର ମାଆ ଓ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଲା ବୋଲି ମୋଦୀ କହିବା ସହ ମୋଦୀ କହିଥିଲେ, ଏହା ମଧ୍ୟ ମହାପ୍ରଭୁଙ୍କ କୃପା, ମାଆ ସୁଭଦ୍ରାଙ୍କ ନାଁରେ ଯୋଜନା ଆରମ୍ଭ ହେଲା ଆଉ ସ୍ୱୟଂ ଇନ୍ଦ୍ରଦେବ ଆଶୀର୍ବାଦ ଦେବାକୁ ପହଞ୍ଚିଗଲେ । ଆଜି ଦେଶର ୩୦ ଲକ୍ଷରୁ ଅଧିକ ପରିବାରକୁ ଭଗବାନ ଜଗନ୍ନାଥଙ୍କ ମାଟିରୁ ପକ୍କା ଘର ଦିଆଯାଇଛି । ଏହା ମଧ୍ୟରୁ ୨୬ ଲକ୍ଷ ଘର ଆମ ଦେଶର ଗାଁ ଏବଂ ୪ ଲକ୍ଷ ଘର ଅଲଗା ଅଲଗା ସହରରେ ଦିଆଯାଇଛି । ଖାଲି ସେତିକି ନୁହେଁ ଓଡିଶାରେ ମଧ୍ୟ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ହେଇଛି ।

ଏହାସହ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ସମୟରେ ମୁଁ  ଶପଥ ଗ୍ରହଣ ସମାରୋହରେ ଆସିଥିଲି । ଏହାପରେ ଏହା ମୋର ପ୍ରଥମ ଯାତ୍ରା ବୋଲି କହିଥିଲେ ମୋଦୀ । ନିର୍ବାଚନ ସମୟରେ ସେ କହିଥିଲେ ଯେ, ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ଓଡିଶା ବିକାଶର ନୂଆ ଦିଗ ଛୁଇଁବ । ଯେଉଁ ସ୍ୱପ୍ନ ଏଠାକାର ଗରିବ, ଦଳିତ, ଆଦିବାସୀ ଓ ବଞ୍ଚିତ ପରିବାର ଦେଖିଛନ୍ତି, ଯେଉଁ ସ୍ୱପ୍ନ ମହିଳା, ଝିଅ ଓ ମାଆମାନେ ଦେଖିଛନ୍ତି, ସେ ସବୁ ସ୍ୱପ୍ନ ପୂରଣ ହେବ, ଏହା ମୋ ବିଶ୍ୱାସ ଓ ମହାପ୍ରଭୁଙ୍କ ଆଶୀର୍ବାଦ ।

ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ତାହା ଅଦ୍ଭୁତପୂର୍ବ ଗତିରେ ପୂରଣ ହେଉଛି । ଆମେ କହିଥିଲୁ, ସରକାର ହେଲେ ଭଗବାନ ଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବୁ । ଆଉ ସରକାର ହେବା ମାତ୍ରକେ ଆମେ ବନ୍ଦ ଦ୍ୱାରକୁ ଖୋଲିଲୁ । ମନ୍ଦିରର ରତ୍ନଭଣ୍ଡାରକୁ ମଧ୍ୟ ଖୋଲିଦେଲୁ । ଦିନ ରାତି ଜନତା ଜନାର୍ଦ୍ଦନଙ୍କ ସେବା ପାଇଁ ଆମ ସରକାର କାମ କରୁଛି ।

ମୋଦୀ କହିଥିଲେ, ଆଜିର ଏ ଦିନ ଆଉ ଗୋଟିଏ କାରଣରୁ ମଧ୍ୟ ବିଶେଷ । ଆଜି କେନ୍ଦ୍ରର ଏନଡିଏ ସରକାରକୁ ୧୦୦ ଦିନ ପୂରଣ ହେଉଛି । ଏହା ମଧ୍ୟରେ ଯୁବକ, ନାରୀ ଓ ଦେଶର ବିକାଶ ପାଇଁ ବଡ ବଡ ନିଷ୍ପତ୍ତି ନିଆଯାଇଛି । ଗତ ଶହେ ଦିନ ଭିତରେ ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ ସ୍କିମର ଘୋଷଣା କରାଯାଇଛି । ଗତ ଶହେ ଦିନରେ ଓଡିଶା ସହ ସାରା ଦେଶରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହେଇଛନ୍ତି ।

ବିଜେପିର ନୂଆ ସରକାର ନିଜର ପ୍ରଥମ ନିଷ୍ପତ୍ତିରେ ସୁଭଦ୍ରା ଯୋଜନା ବିଷୟରେ ନିଷ୍ପତ୍ତି ନେଇଛି । ଯାହାର ଲାଭ ରାଜ୍ୟର ମହିଳାମାନେ ପାଇପାରିବେ । ଏଥିରେ ଟଙ୍କା ସିଧାସଳଖ ମାଆ ଓ ଭଉଣୀଙ୍କ ପାଖକୁ ପଠାଯିବ । ସୁଭଦ୍ରା ଯୋଜନା ମାଆ ଓ ଭଉଣୀମାନଙ୍କୁ ସଶକ୍ତ କରୁ, ମାଆ ସୁଭଦ୍ରାଙ୍କ ନିକଟରେ ଏହା ମୋର ପ୍ରାର୍ଥନା ବୋଲି କହିଥିଲେ ମୋଦୀ ।