କନକ ବ୍ୟୁରୋ: ଖଲିସ୍ତାନୀଙ୍କ ଉପଦ୍ରବ କାନାଡାରେ ବେଶ ବଢ଼ୁଛି । ରବିବାର ହିନ୍ଦୁ ସଭା ମନ୍ଦିର ପରିସରରେ ହଙ୍ଗାମା ଓ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଭାରତ ଓ କାନାଡ ମଧ୍ୟରେ ଯେଉଁ ତିକ୍ତତା ଥିଲା ତାହା ଏବେ ଚରମସୀମାରେ ପହଁଚିଲାଣି । ଘଟଣାକୁ ନେଇ ଟ୍ରୁଡୋ ସରକାରଙ୍କ ତ୍ରୀବ ସମାଲୋଚନା କରିବା ସହ ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଦାବି କରିଛି ଭାରତର ବୈଦେଶିକ ମନ୍ତ୍ରାଳୟ ।

Advertisment

କାନାଡାରେ ଦିନକୁ ଦିନ ବଢ଼ୁଛି ଖଲିସ୍ତାନୀ ଓ ସେମାନଙ୍କ ସମର୍ଥକଙ୍କ ଉତ୍ପାତ । ଏହି ଭିଡିଓ ହେଉଛି ସବୁଠୁ ଅଧିକ ଭାରତୀୟ ରହୁଥିବା ବ୍ରାମ୍ପଟନ ସହରର । ଏଠାରେ ଥିବା ହିନ୍ଦୁ ମହାସଭା ମନ୍ଦିର ବାହାର ଓ ଭିତରରେ ବଡଧରଣର ହଙ୍ଗାମା ଦେଖିବାକୁ ମିଳିଛି । ମନ୍ଦିର ପରିସର ଓ ବାହାରରେ ଏକାଠି ହୋଇଛନ୍ତି ଶହ ଶହ ଖଲିସ୍ତାନୀ ସମର୍ଥକ । ହାତରେ ଖଲିସ୍ତାନୀ ପତାକା ଓ ଲାଠି । ଆଖି ସାମ୍ନାକୁ ଯିଏ ଆସୁଛନ୍ତି ତାଙ୍କୁ ମାଡ ମାରୁଛନ୍ତି । ସବୁଠ ବଡ କଥା ହେଉଛି ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ହେଉଛନ୍ତି ଭାରତୀୟ । ଘଟଣାକୁ ନେଇ ଭାରତରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି ।

ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରି କାନାଡା ସରକାରଙ୍କଠୁ ଜବାବ ମାଗିଛି ଭାରତ । ଏନେଇ ଅଟାୱା ସ୍ଥିତି ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି କରାଯାଇଛି । କାନାଡ ସଂସଦର ସଦସ୍ୟ ତଥା ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟଙ୍କ କଡ଼ା ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆର୍ଯ୍ୟ କହିଛନ୍ତି କାନାଡାରେ ଖଲିସ୍ତାନୀ ସବୁ ସୀମା ଟପି ସାରିଲାଣି । ଏଥିସହ ଶିଖ ସମ୍ପ୍ରଦାୟ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ କାନାଡ଼ାରେ ହିନ୍ଦୁ ମନ୍ଦିରେ ଭକ୍ତମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ । ଜଷ୍ଟିନ ଟ୍ରୁଡୋ କହିଛନ୍ତି ସମସ୍ତଙ୍କ ମୁକ୍ତ ଏବଂ ନିରାପଦ" ଧର୍ମ ପାଳନ କରିବାକୁ ଅଧିକାର  ରହିଛି । ହିନ୍ଦୁ ମନ୍ଦିରରେ ହୋଇଥିବା ହିଂସାକୁ ଗ୍ରହଣୀୟ ନୁହେଁ । 

ଏବେ ପ୍ରଶ୍ନ ଉଠୁଛି ଭାରତ ଉପରେ ସବୁବେଳେ ମିଥ୍ୟା ଅଭିଯୋଗ କରୁଥିବା କାନାଡ଼ା ସରକାର, ଆକ୍ରମଣକୁ ନେଇ କ’ଣ ଆଭିମୁଖ୍ୟ ରଖିବେ? ଟ୍ରୁଡୋ ସରକାର ଘଟଣାକୁ ନିନ୍ଦା କରିବା ପରେ ତେବେ ଖଲିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନା ନାହିଁ? ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଆରୋପ ପ୍ରତ୍ୟାରୋପ ଭିତରେ ସମ୍ପର୍କ ତିକ୍ତତାର ଚରମସୀମାରେ ପହଁଚିଲାଣି ।