କନକ ବ୍ୟୁରୋ : ରାଜ୍ୟରେ ଅଦିନିଆ ବର୍ଷା ଯେତେବେଳେ ଚଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି, ଠିକ ଏତିକିବେଳେ ମୋଦୀ ସରକାରଙ୍କ ବଡ଼ ଘୋଷଣା କ୍ଷତରେ ମଲମ ଭଳି କାମ ଦେଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆକାରକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷଯାଏଁ ବଜେଟ୍ ପରିମାଣ ବଢି ୬୯ ହଜାର ୫୧୫ କୋଟି ୭୧ ଲକ୍ଷ ହୋଇଛି । କେନ୍ଦ୍ର କ୍ୟାବିନେଟ ଆଜି ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ଦେଶର କୋଟିକୋଟି ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ସେହିପରି ନୂଆବର୍ଷର ପ୍ରଥମ କ୍ୟାବିନେଟରେ ଚାଷୀଙ୍କ ଖୁସି କଲାଭଳି ଆଉଏକ ବଡ଼ ନିଷ୍ପତ୍ତି ହୋଇଛି । ଡିଏପି ସାର ଉପରେ ଅତିରିକ୍ତ ସବସିଡିକୁ ଆଜି ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ଫଳରେ ଡିଏପି ଉପରେ ମେଟ୍ରିକ ଟନ୍ ପିଛା ୩ ହଜାର ୫୦୦ ଟଙ୍କାର ସବସିଡି ଯୋଗାଇ ଦିଆଯିବ । ୧ ଜାନୁଆରୀ ୨୦୨୫ରୁ ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ ପରେ ଚାଷୀମାନଙ୍କୁ ନିରନ୍ତର ଭାବେ ଡିଏପି ସାର ଉପଲବ୍ଧ ହୋଇପାରିବ । ଏଥିପାଇଁ ପାଖାପାଖି ୩ ହଜାର ୮୫୦ କୋଟି ଟଙ୍କା ବ୍ୟୟବରାଦ କରିବେ ମୋଦୀ ସରକାର । ନୂଆବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚାଷୀକୂଳର ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/01/CI7yUXXa2lU9VnXzmOe6.jpg)