କନକ ବ୍ୟୁରୋ : ଜହ୍ନରେ ଘର କରିବାକୁ ଚିନ୍ତା କଲାଣି ମଣିଷ । ହେଲେ ଆଜିର ଯୁଗରେ ବି ଜାତି ଭେଦଭାବ କେତେ କୁତ୍ସିତ ସ୍ତରରେ ରହିଛି, ତାହା ପଦାରେ ପକାଇଦେଉଛି ଗୋଟିକ ପରେ ଗୋଟିଏ ଅଙ୍ଗନବାଡ଼ିରୁ ସାମ୍ନାକୁ ଆସୁଥିବା ଲଜ୍ଜାଜନକ ଘଟଣା । ଆଜି ରାଜନଗର ବିବାଦର ସମାଧାନ ହୋଇଥିବା ବେଳେ, ନୂଆପଡ଼ାରୁ ଆସିଛି ସମାନ ଅଭିଯୋଗ। ସେପଟେ ପ୍ରଶାସନର ଉଦାସୀନତା ପାଇଁ ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ ହେବାକୁ ପଡ଼ିଲା ବୋଲି ମତ ପ୍ରକାଶ ପାଇଛି ।  

Advertisment

ଗାଁ ଲୋକେ ଶପଥ କଲେ... ଜାତିଆଣ ବିବାଦ ତୁଟାଇଲେ...ପିଲାଙ୍କୁ ଅଙ୍ଗନବାଡ଼ି ପଠାଇବାକୁ ରାଜି ହେଲେ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଘଡ଼ିଆମାଳର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ ଶିଶୁ କମିସନ ଓ ମହିଳା କମିସନ ସଦସ୍ୟାଙ୍କ ସହ ଜିଲ୍ଲା ପ୍ରଶାସନ । ଜାତିଗତ ଆକ୍ଷେପର ଶିକାର ହୋଇଥିବା ଅନୁସୂଚିତ ଜାତିର ସହାୟିକାଙ୍କ ସହ କଥା ହେବା ସହ, ଗାଁକୁ ଯାଇ ଲୋକଙ୍କୁ ବୁଝାଇଥିଲେ, ପାଲା ମାଧ୍ୟମରେ ସଚେତନ କରିଥିଲେ । ଶେଷରେ ଭେଦଭାବ ଭୁଲି ସୋମବାରଠୁ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ପଠାଇବାକୁ ଶପଥ କରିଛନ୍ତି ଲୋକେ । ବିବାଦ ତୁଟିଲା, ହେଲେ ବାକି ରହିଗଲା ଅନେକ ପ୍ରଶ୍ନ । ଗତ ୩ ମାସ ହେଲା ଅଙ୍ଗନବାଡ଼ିକୁ ପିଲା ଯାଉନଥିଲେ, ହେଲେ କେଉଁଠି ଶୋଇଥିଲା ପ୍ରଶାସନ? ରାଜ୍ୟସଭା ଯାଏଁ କଥା ଯିବା ପରେ ତରବର ହୋଇ ଧାଇଁଲେ, ହେଲେ ଏତେ ଦିନ ଯାଏଁ ଯାଇଥିଲେ କୁଆଡ଼େ? ଖାଲି ଏତିକି ନୁହେଁ । ଅଙ୍ଗନବାଡ଼ି ଅଚଳାବସ୍ଥାର କାରଣକୁ ନେଇ ବି, ଅଧିକାରୀମାନଙ୍କ କଥାରେ ତାଳମେଳ ରହୁନି । ଯାହାକି ଚାପ ପରେ ବିବାଦକୁ ତରବରିଆ ଭାବେ ତୁଟାଇ ଦିଆଗଲା କି? ବୋଲି ସନ୍ଦେହ ସୃଷ୍ଟି କରିଛି । 

ଅଧିକ ପଢ଼ନ୍ତୁ---ଆସନ୍ତାକାଲି ପବିତ୍ର ମହାଶିବରାତ୍ରି; ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ରାଜନଗର ବିବାଦ ତୁଟୁ ତୁଟୁ, ନୂଆପଡ଼ା ସିନାପାଲି ଅଞ୍ଚଳରୁ ବି ସାମ୍ନାକୁ ଆସିଛି ସମାନ ଅଭିଯୋଗ । ଅନୁସୂଚିତ ଜାତିର ସହାୟିକା ନିଯୁକ୍ତି ପରେ, ପଲାସାପଡ଼ା ଅଙ୍ଗନବାଡ଼ିକୁ ଆସୁନାହାନ୍ତି ପିଲା । ସହାୟିକାଙ୍କ ହାତରୁ ଖାଦ୍ୟ ନେଉନାହାନ୍ତି ଶିଶୁ ଓ ଗର୍ଭବତୀ । ସିନାପାଲି ବିଡିଓ ଓ ସିଡିପିଓ ଗାଁରେ ଆଲୋଚନା କରିଥିଲେ ବି ଫଳ ମିଳିନି । ଗୋଟିଏ ପଟେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିରେ ଏସ୍‌ସି-ଏସ୍‌ଟି ବର୍ଗର ମହିଳାଙ୍କୁ ପ୍ରାଥମିକତା ଦେଉଛନ୍ତି ସରକାର । ଅନ୍ୟପଟେ ସେମାନେ ମାସ ମାସ ଧରି ଜାତିଗତ ଭେଦଭାବର ଶିକାର ହେଉଥିଲେ ବି, ଲୋକଙ୍କ ମାନସିକତା ବଦଳାଇପାରୁନି ପ୍ରଶାସନ ! ଆଜିର ଯୁଗରେ ଜାତିଗତ ଭେଦଭାବ କେବଳ ଗ୍ରାମାଞ୍ଚଳରେ ସଚେତନତାର ଅଭାବକୁ ସୂଚାଉନି, ଅଭିଭାବକଙ୍କ ଏଭଳି କୁତ୍ସିତ ମାନସିକତା କୋମଳମତି ଶିଶୁଙ୍କ ମନରେ ବି ବିଷ ମଞ୍ଜି ବୁଣୁଛି ।