କନକ ବ୍ୟୁରୋ:  ସେଲ୍‌ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ସିଲିକନ୍ ଷ୍ଟିଲ୍ ମିଲ୍‌ର ଆମୋନିଆ ଷ୍ଟୋରେଜ ଟ୍ୟାଙ୍କ ଏସିୟୁ ଅଞ୍ଚଳରେ ଜୁନ୍ ୨୬ ତାରିଖରେ ଆମୋନିଆ ଲିକେଜ୍‌ ଜନିତ ଏକ କାଳ୍ପନିକ ସ୍ଥିତି ସୃଷ୍ଟି କରାଯାଇ ଏହାର ମୁକାବିଲା ନିମନ୍ତେ ଏକ ମକ୍‌ଡ୍ରିଲ୍ ଆୟୋଜିତ ହୋଇଥିଲା । ଏହି ଡ୍ରିଲ୍ ବୈଧାନିକ ଆବଶ୍ୟକତା ଅନୁଯାୟୀ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜରୁରିକାଳୀନ ପ୍ରତିକ୍ରିୟାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସମ୍ପାଦିତ ହୋଇଥିଲା । ଏହି ମକଡ୍ରିଲ ଏସିୟୁରେ ଏକ କାଳ୍ପନିକ ଆମୋନିଆ ଲିକେଜ ଏବଂ ତତ୍‌ଜନିତ ଆମୋନିଆ ଡିଟେକ୍ଟର ଓ ଜରୁରିକାଳୀନ ସାଇରନ ବାଜିବା ସହ ଆରମ୍ଭ ହୋଇଥିଲା ।   
Advertisment
ଏହି ଅବସରରେ ଏସଏସଏମ୍ ବିଭାଗର ଜିଏମ୍ ଇନ ଚାର୍ଜ ଶ୍ରୀ ସିଆର୍ ମିଶ୍ର ଏବଂ ଅନ୍ୟ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅଭ୍ୟାସରେ ତିନୋଟି ଦଳ ଯଥା କମ୍ବାଟ ଟିମ, ଉଦ୍ଧାରକାରୀ ଦଳ ଏବଂ ସହାୟକ ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଏହି ଟିମ୍‌ ଗୁଡ଼ିକରେ ସିଲିକନ୍ ଷ୍ଟିଲ୍ ମିଲ୍‌, ସୁରକ୍ଷା ଇଞ୍ଜିନିୟରିଂ ବିଭାଗ, ଅଗ୍ନିଶମ ସେବା, ଇଏମ୍‌ଡି ଓ ଏଚଏସସି ଏବଂ ସିଆଇଏସଏଫ ବିଭାଗର ବହୁ ସଦସ୍ୟ ସାମିଲ ଥିଲେ ।
ଏହି ମକ୍ ଡ୍ରିଲ୍‌ରେ ବିଭିନ୍ନ ଏଜେନ୍ସିଗୁଡ଼ିକର ପ୍ରତିକ୍ରିୟା ସମୟ ଏବଂ ଗ୍ୟାସ୍ ଲିକେଜ୍ ସମ୍ବନ୍ଧୀୟ ମାନକ କାର୍ଯ୍ୟ ପ୍ରଣାଳୀ (ଏସଓପିଏସ) ପ୍ରତି ସେମାନଙ୍କର ନିୟମ ଅନୁପାଳନର ମୂଲ୍ୟାଙ୍କନ କରାଯାଇଥିଲା । ସାମର୍ଥ୍ୟ ଏବଂ ଉନ୍ନତି କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ବାରୋପ କରି ସମ୍ପୃକ୍ତ ୟୁନିଟ୍‌ର ମୁଖ୍ୟ ଏବଂ ପ୍ରତିନିଧିମାନଙ୍କ ଉପସ୍ଥିତିରେ ବିସ୍ତୃତ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରାଯାଇଥିଲା । ଉଲ୍ଲେଖନୀୟ ଯେ, ଆରଏସପି ନିୟମିତ ଭାବେ ରଣନୈତିକ ୟୁନିଟଗୁଡ଼ିକରେ ଏପରି ମକ୍ ଡ୍ରିଲ୍ ଆୟୋଜନ କରିଥାଏ ଯାହା ଦ୍ୱାରା ଉଚ୍ଚ ସ୍ତରର ପ୍ରସ୍ତୁତି ବଜାୟ ରଖାଯାଇପାରିବା ସହ ଯେକୌଣସି ଜରୁରିକାଳୀନ ପରିସ୍ଥିତିର ସଫଳ  ମୁକାବିଲା କରାଯାଇପାରିବ ।