କନକ ବ୍ୟୁରୋ : କଳିଙ୍ଗନଗର କଳକାରଖାନାରେ ଅନେକ ସମୟରେ ଦୁର୍ଘଟଣା ଖବର ଆସେ। କାରଖାନା ଭିତରେ ଓ ବାହାରେ ଦୁର୍ଘଟଣା ଘଟୁଛି। ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଭଳି ବିଭିନ୍ନ ଦୁର୍ଘଟଣା ସମୟରେ ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି। ଏଥିରେ କଳକାରଖାନାର ସୁରକ୍ଷା କର୍ମୀ, ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ । ବିଭିନ୍ନ ପ୍ରକାର ବିପତ୍ତିର ମୁକାବିଲା ସମ୍ପର୍କରେ ଅବଗତ ହୋଇଛନ୍ତି ।

Advertisment

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କେମିତି କରିହେବ ? 'ଣ କଲେ ଧନଜୀବନକୁ ସୁରକ୍ଷା ଦେଇ ହେବ ? ସଚେତନତା ଓ ସତର୍କତା ବିନା ଆକସ୍ମିକ ଅଘଟଣକୁ ଆୟତ୍ତ କରିବା ସହଜ ନୁହେଁ । ସେଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗର ଷ୍ଟାଡିୟମରେ ମକଡ୍ରିଲ କରାଯାଇଛି । ସେଥିରେ ସାମିଲ ହୋଇ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଛନ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳ କାରଖାନାର ସୁରକ୍ଷା କର୍ମୀ, ଏନଡିଆରଏଫ୍ ଓ ଅଗ୍ନିଶମ କର୍ମଚାରୀ । ଶିଳ୍ପ ରସାୟନ, ଗ୍ୟାସ ଦୁର୍ଘଟଣା ସହ ଅନ୍ୟାନ୍ୟ ଦୁର୍ଘଟଣା ସମ୍ବନ୍ଧୀୟ ମକଡ୍ରିଲ୍ କରାଯାଇଛି ।

ପ୍ରଶାସନିକ ଅଧିକାରୀ ଓ କାରଖାନା ସୁରକ୍ଷା ଅଧିକାରୀଙ୍କ ସହ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ସ୍ଥାନୀୟ ଜନପ୍ରତିନିଧି । ଶିଳ୍ପ ସମ୍ବନ୍ଧୀୟ ବିଭିନ୍ନ ରାସାୟନିକ ଦୁର୍ଘଟଣା ସମୟରେ ଆଶୁ ମୁକାବିଲା ପାଇଁ ନାନା ଉପାୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଶ୍ରମିକ, କର୍ମଚାରୀ ଓ ଲୋକଙ୍କୁ ଅଧିକ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।

କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି, କୋରେଇ, ଦାନଗଦି, ସୁକିନ୍ଦା ବ୍ଲକ ଓ ବ୍ୟାସନଗର ମ୍ୟୁନସିପାଲଟି ଅଧିକାରୀ ଉପସ୍ଥିତ ଥିଲେ । କଳିଙ୍ଗନଗର ଶିଳ୍ପ ସମୁହର ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟାକୁ ତଦାରଖ କରୁଥିବା ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।