କନକ ବ୍ୟୁରୋ: ଅନଲାଇନ୍ ଜମାନାରେ ହଜି ଯାଉଛି ଜୋତା କାରିଗରଙ୍କ କୌଳିକ ବୃତ୍ତି । ଲୋକ ସ୍ଥାନୀୟ ଜୋତା କାରିଗରଙ୍କଠାରୁ ମୁହଁ ଫେରାଇ ଅନଲାଇନରେ ଜୋତା ମଗାଇବାକୁ ପସନ୍ଦ କରୁଛନ୍ତି । ଫଳରେ ଜୋତା କାରିଗରଙ୍କ କୁଳ ବେଉସା ବୁଡ଼ିବାକୁ ବସିଲାଣି । ସାହା ହେବ କି ପି.ଏମ୍. ବିଶ୍ଵକର୍ମା ଯୋଜନା । କନକ ନ୍ୟୁଜର ସ୍ପେଶାଲ ରିପୋର୍ଟ ।
କଟକର ଭୁଜଙ୍ଗ ଦାସ । ବାପାଅଜା ଅମଳରୁ ଜୋତା ତିଆରି ଓ ମରାମତି କରି ଘର ଚଳାଉଥିଲେ । ଏବେ ଏଇ ବେଉସା କିନ୍ତୁ ବୁଡ଼ିବାକୁ ବସିଲାଣି । ଘର ଚଳାଇବା ଓ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅର୍ଥର ଅଭାବ ପଡୁଛି । ଏବେ ଜୋତା ଓ ଚପଲ ଅର୍ଡର ଦେଇ ବନାଇବା ତ ଦୂରର କଥା, ମରାମତି କରିବାକୁ ମଧ୍ୟ କେହି ଆସୁ ନାହାନ୍ତି । ପି.ଏମ୍. ବିଶ୍ଵକର୍ମା ଯୋଜନାରେ ବର୍ଷେ ହେବ ପଞ୍ଜିକୃତ ହୋଇ ମଧ୍ୟ କିଛି ସୁବିଧା ସୁଯୋଗ ମିଳୁ ନଥିବା ଭୁଜଙ୍ଗ ଦାସ କହିଛନ୍ତି ।
ଦିନ ଥିଲା, ଜୋତା କାରିଗର ଜୋତା, ଚପଲ ତିଆରି କରି ଘରଘର ବୁଲି ବିକୁଥିଲେ। ଏବେ ରାସ୍ତାକଡ଼ରେ ଉଠା ଦୋକାନ ଖୋଲି ଜୋତା ତିଆରି ଓ ମରାମତି କରୁଛନ୍ତି। କିନ୍ତୁ ଆଗଭଳି ଆଉ ବେପାର ହେଉନି। ଫଳରେ ଜୋତା କାରିଗର ଦୁର୍ଦ୍ଦଶାରେ ପଡ଼ିଛନ୍ତି।
କାହିଁକି ବୁଡ଼ିବାକୁ ବସିଛି ଜୋତା କାରିଗରଙ୍କ କୌଳିକ ବୃତ୍ତି? ଲୋକଙ୍କ କହିବା କଥା, ଜୋତା ତିଆରି ଓ ମରାମତି ପାଇଁ ଅଧିକ ଟଙ୍କା ପଡୁଛି। ସେହି ଦାମରେ ଅନଲାଇନରେ ବିଭିନ୍ନ ପ୍ରକାର ଜୋତା ମିଳୁଛି । ତେଣୁ ଲୋକ ସ୍ଥାନୀୟ ଜୋତା କାରିଗରଙ୍କଠାରୁ ମୁହଁ ଫେରାଉଛନ୍ତି ।
ଜୋତା କାରିଗରଙ୍କ କୁଳ ବେଉସା ବୁଡ଼ିବାକୁ ବସିଥିବା ବେଳେ ପି. ଏମ୍. ବିଶ୍ଵକର୍ମା ଯୋଜନା ନୂଆଆଶା ଦେଇଛି । ହେଲେ ଏ ଯୋଜନାରେ କେବେ ପୂରଣ ହେବ ସ୍ବପ୍ନ ? କେମିତି ବଞ୍ଚି ରହିବ ଜୋତା କାରିଗରଙ୍କ କୁଳ ବେଉସା ? ତାକୁ ନେଇ ଆଶା ଓ ଆଶଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/01/06/fFDXD1esI8HYInaEWfKw.jpg)