କନକ ବ୍ୟୁରୋ : ଘଞ୍ଚ ଜଙ୍ଗଲ , ଆଉ ଏହି ନିଛାଟିଆ ଜଙ୍ଗଲ ଭିତରେ ହାତ ଗଣତି ଘର । ଯୋଗାଯୋଗ କହିଲେ ଘଞ୍ଚ ଜଙ୍ଗଲ ଭିତରେ ଥିବା ଅଣ ଓସାରିଆ ରାସ୍ତା। । ମୋବାଇଲ ନେଟୱର୍କ ତ ସାତ ସପନ । କାହା ସହ ଯୋଗାଯୋଗ କରିବାକୁ ହେଲେ ଜଙ୍ଗଲ ପାରି ହୋଇ ସହରକୁ ଆସିବାକୁ ପଡେ । କିନ୍ତୁ ଏବେ ନିଜ ଘର ଅଗଣାରେ ରହି ସାରା ଦୁନିଆ ସହ ଯୋଗାଯୋଗ କରିପାରିବେ ଏହି ଅପହଞ୍ଚ ଇଲାକାର ବାସିନ୍ଦାମାନେ । ତଥ୍ୟ କହୁଛି, ରାଜ୍ୟର ମୟୁରଭଞ୍ଜର ଶିମିଳିପାଳ, ଫୁଲବାଣୀ, ବୌଦ୍ଧ, କୋରାପୁଟ, ରାୟଗଡା ଓ ମାଲକାନଗିରି ଜିଲ୍ଲାର ଅନେକ ଗାଁରେ ନାହିଁ ମୋବାଇଲ ନେଟଓ୍ୱର୍କ । କିନ୍ତୁ ଖୁବ ଶୀଘ୍ର ଏହି ଅପହଞ୍ଚ ଅଞ୍ଚଳର ଲୋକମାନେ ଅତି ସହଜରେ ସାରା ଦୁନିଆ ସହ ଯୋଡିହୋଇପାରିବେ । କାରଣ ଏହି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ବିଏସଏନଏଲ । ରାଜ୍ୟରେ ୨ହଜାର ୪୭୨ଟି ଅପହଞ୍ଚ ଗାଁରେ ମୋବାଇଲ ସେବା ଯୋଗାଇବା ପାଇଁ ୧୬୬୫ଟି ଟାଓ୍ୱାର ଲଗାଉଛି ବିଏସଏନଏଲ ।
ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ହାଇ ସ୍ପିଡ ଫାଇବର ଟୁ ହୋମ୍ ସେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏସଏନଏଲ । ଡିଜିଟାଲ ଭାରତ ନିଧି ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତକୁ ଏହି ସେବା ଯୋଗାଇବ ବିଏସଏନଏଲ । ବିଶେଷକରି ବିଦ୍ୟାଳୟ, ଡାକ୍ତରଖାନା ଓ ଗାଁରେ ହାଇସ୍ପିଡ ଫାଇବର ଟୁ ହୋମ୍ ସଂଯୋଗ କରୁଛି ବିଏସଏନଏଲ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୭ ତାରିଖରେ ଝାରସୁଗୁଡାରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରାୟ ୧ ଲକ୍ଷ ବିଏସଏନଏଲ ୪ଜି ନେଟଓ୍ୱର୍କ ସାଇଟର ଶୁଭାରମ୍ଭ କରିଛନ୍ତି। ବିଏସଏନଏଲର ନେଟଓ୍ୱର୍କକୁ ନେଇ ଅନେକ ଅଭିଯୋଗ ଆସିଥିବାବେଳେ ଖୁବ ଶୀଘ୍ର ଏହାର ସମାଧାନ କରିବାକୁ ଯୋଜନା କରିଛି ବିଏସଏନଏଲ।