କନକ ବ୍ୟୁରୋ : ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ତେଜୁଛି । ଅସନ୍ତୋଷ ଶିକ୍ଷକଙ୍କର ନୁହେଁ ବରଂ ବିଧାୟକଙ୍କର । ଏତେ ପରିମାଣର ବଦଳି ଆବେଦନ ଦେଖି ବିଧାୟକମାନେ ଚିନ୍ତାରେ । କାହାର କାଟିବେ, କାହାର ରଖିବେ, ତାହା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । 

Advertisment

କ୍ଷମତା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଗଣେଶ୍ବର ବେହେରା ଲେଖିଲେ ଚିଠି । ଭିତରେ ପ୍ରଚଣ୍ଡ କ୍ଷୋଭ କିନ୍ତୁ ସେ ଅସହାୟ । ଶିକ୍ଷକ ବଦଳି ବେଳେ କାହା ପାଇଁ କରିବେ ସୁପାରିଶ ? କାହା ପାଇଁ ଲେଖିବେ ? କାହାକୁ କରିବେ ନିରାଶ ? ଜୁନ ୩ ସୁଦ୍ଧା ୮୨ଟି ବଦଳି ଆବେଦନ ପାଇଛନ୍ତି ସେ । ସେଥିରୁ କେଉଁ ୧୫ ଜଣଙ୍କ ପାଇଁ ସେ ସୁପାରିଶ କରିବେ ? ଯିଏ ଏହି ତାଲିକାରେ ଆସିବେନି, ସେମାନେ କ୍ଷମା କରିବେ ତ ? ତାଙ୍କ ଭଳି ଆହୁରି ଅନେକ ବିଧାୟକ ଏମିତି ପ୍ରଶ୍ନ ପୁଞ୍ଜ ଧରି ବୁଲୁଛନ୍ତି ବୋଲି କହିଛନ୍ତି ଗଣେଶ୍ବର । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବି ଅସନ୍ତୋଷ ଉଗାରିଛନ୍ତି । ତାଙ୍କ ପାଖେ ୫୦୦ ଆବେଦନ ପହଞ୍ଚିଲାଣି । ୧୫ଜଣଙ୍କ ଲାଗି କେମିତି ୧୫୦୦ ଜଣଙ୍କ ବିରୋଧୀ ହେବୁ ? ବୋଲି ତାରା ପଚାରିଛନ୍ତି । 

୧୫ଜଣ ଶିକ୍ଷକଙ୍କ ବଦଳି କରିପାରିବେ ବିଧାୟକ ଓ ସାଂସଦ । ମେ ୧୫ରୁ ଜୁନ୍‌ ୧୬ ଯାଏଁ ଶିକ୍ଷକ ବଦଳି ଲାଗି ଆବେଦନ । ଶିକ୍ଷକମାନଙ୍କର ଅତି ଆବଶ୍ୟକ ସ୍ଥଳେ ସୁପାରିଶ କରିପାରିବେ । ଏହା କେବଳ ଚଳିତ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟକାରୀ ହେବ । (ଟିଚର ନୋଟିଫିକେସନ- ୧୩.୦୫.୨୫) ଗତ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଥିଲା । ଆଉ ସେବେଠାରୁ ହିଁ ବିବାଦ ଆରମ୍ଭ ହୋଇଛି । ଆବଶ୍ୟକତା ଆଶାରେ ବିଧାୟକଙ୍କ ଦୁଆରେ ଶିକ୍ଷକଙ୍କ ଗହଳି ଲାଗୁଛି କିନ୍ତୁ କେଉଁ ୧୫ ଜଣଙ୍କୁ ବିଧାୟକ ବାଛିବେ , ସନ୍ଦେହରେ । ଯାହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଗାଇଡ୍‌ଲାଇନ୍‌ ମାନିଲେ କିଛି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଦ୍ୱନ୍ଦ୍ୱରେ ଶିକ୍ଷକ , ଦୋଛକିରେ ନେତା । ରାଜନୀତି କରିବାକୁ ସମସ୍ତଙ୍କୁ ସାଙ୍ଗରେ ନେବେ । ନହେଲେ ଖୋଲା ବିରୋଧର ସାମ୍ନା କରିବେ । ଯେଉଁଥିପାଇଁ ଶିକ୍ଷକ ବଦଳି ଜଞ୍ଜାଳରେ ବିଧାୟକ ପଶିବାକୁ ଆଉ ଚାହୁନାହାନ୍ତି ।