ଏମକେସିଜିକୁ ଏମ୍ସ ପ୍ଲସ୍ ଘୋଷଣା ପରେ ତତ୍ପରତା ; ସ୍ବାସ୍ଥ୍ୟସେବାରେ ଆସିବ ଉନ୍ନତି

ଏମ୍‌କେସିଜିକୁ ଏମ୍‌ସ ପ୍ଲସ୍ ଘୋଷଣା ପରେ ବଢ଼ିଲା ତତ୍ପରତା   ।  ଜିଲ୍ଲାପାଳଙ୍କ ସମେତ ଏମ୍‌କେସିଜି ପରିଦର୍ଶନ କରି ଟିକିନିଖି ତଦାରଖ କଲେ ଟିମ୍ ।  ଜିଲ୍ଲାପାଳ କହିଲେ, ସ୍ବାସ୍ଥ୍ୟସେବାରେ ସେପ୍ଟେମ୍ବରରୁ ଆସିବ ଉନ୍ନତି  ।

21

କନକ ବ୍ୟୁରୋ: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିଗିଡି ଯାଇଥିବା ସ୍ବାସ୍ଥ୍ୟାବସ୍ଥାରେ ଆସନ୍ତା ସେପ୍ଟେମ୍ୱର ପହିଲାରୁ ସୁଧାର ଆସିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମ୍ସ ପ୍ଲସରେ ପରିଣତ କରିବା ଲାଗି ଗତକାଲି ସରକାରଙ୍କ ଘୋଷଣା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ବଢ଼ିଛି । ଆଜି ସକାଳୁ ଜିଲ୍ଲାପାଳଙ୍କ ସମେତ ଏକ ଟିମ୍ ଏମ୍ କେ ସି ଜି ପରିଦର୍ଶନ କରି ଟିକିନିଖି ତଦାରଖ କରିଛନ୍ତି ।

ଏମ୍‌କେସିଜିକୁ ଏମ୍‌ସ ପ୍ଲସରେ ପରିଣତ ଲାଗି ଗତକାଲି ସରକାରଙ୍କ ଏହି ଘୋଷଣା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଆଜି ସକାଳୁ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସ୍‌ପି ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସମେତ ଏକ ପ୍ରଶାସନିକ ଦଳ ଏମକେସିଜି ପରିଦର୍ଶନ କରି ଦୀର୍ଘ ୩ଘଣ୍ଟା ଧରି ବିଭିନ୍ନ ବିଭାଗ ବୁଲି ଦେଖିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ମେଡିକାଲର କାଜୁଆଲିଟିଠାରୁ ଆରମ୍ଭ କରି ରୋଗୀଶଯ୍ୟା ସମସ୍ୟା, ଆମ୍ବୁଲାନ୍ସ, ବ୍ଲଡ଼ ବ୍ୟାଙ୍କ, ସ୍ୱଚ୍ଛତା, ପରିମଳ ଓ ପାର୍କିଂ ସମସ୍ତ ବିଭାଗ ବୁଲି ଦେଖିଛନ୍ତି । ଏମ୍‌କେସିଜିରେ ବିଗିଡି ଯାଇଥିବା ସ୍ବାସ୍ଥ୍ୟସେବାରେ ସେପ୍ଟେମ୍ବର ପହିଲାରୁ ସୁଧାର ଆଣିବା ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

କେବଳ ସେତିକି ନୁହେଁ ଲିଫ୍ଟ ସମସ୍ୟା, କର୍ମଚାରୀ ଭଳି ବହୁ ସମସ୍ୟାର ତୁରନ୍ତ ସମାଧାନ ଲାଗି  ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନୂତନ ନିଯୁକ୍ତି ପରେ ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ହୋଇଥିବା ଲାଗି ପ୍ରଶାସନିକ ଉଦ୍ୟମ ଫଳପ୍ରଦ ଆଶା ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ସେପଟେ ସରକାରଙ୍କ ଏମସ୍ ପ୍ଲସରେ ପରିଣତ କରିବା ଘୋଷଣା ହେଉ ବା ଜିଲ୍ଲାପ୍ରଶାସନର ତତ୍ପରତା, କାଗଜ ପତ୍ରରେ ସୀମିତ ନ ରହି କାର୍ଯ୍ୟରେ ପରିଣତ ହେବା ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏମ୍‌କେସିଜିରେ ଏମସ୍ ପ୍ଲସରେ ପରିଣତ କରିବା ଯଦି ସତରେ କାର୍ଯ୍ୟକାରୀ ହୁଏ, ତେବେ ଦକ୍ଷିଣ ଓଡ଼ିଶା ବାସୀଙ୍କ ଭାଗ୍ୟ ପରିବର୍ତ୍ତନ ହେବା ସହ ରୋଗୀ ସେବାରେ ସୁଧାର ଆସିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe