କନକ ବ୍ୟୁରୋ: ତାମିଲନାଡୁ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ସହ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି । ରାଜ୍ୟପାଳ ମଧ୍ୟ ତାଙ୍କ ସୁପାରିସକୁ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ ଚେନ୍ନାଇ ରାଜଭବନରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ହେବ ।
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନରେ ନେଇ ସଙ୍କେତ ଦେଇଥିଲେ । ସେବେଠାରୁ ଉଦୟନିଧି ଷ୍ଟାଲିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଏହାସହ ଡ. ଗୋଭି ଚେଝିଆନ, ଆର୍ ରାଜେନ୍ଦ୍ରନ, ଥିରୁ ଏସଏମ୍ ନାସରଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଏହାସହ ସୁପ୍ରିମକୋର୍ଟରୁ ଜାମିନରେ ମୁକୁଳିଥିବା ବିବାଦୀୟ ବିଧାୟକ ସେନ୍ଥିଲ ବାଲାଜୀଙ୍କୁ ପୁଣି ଥରେ କ୍ୟାବିନେଟରେ ସାମିଲ କରାଯାଇଛି ।