କନକ ବ୍ୟୁରୋ: ବିହାରରେ ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ସହ ମିଶି ରାଲି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ . ଷ୍ଟାଲିନ୍ । ସେଠାରେ ନିଜ ଭାଷାକୁ ସମ୍ମାନ ଦେଇ ତାମିଲ ଭାଷାରେ ଜନସଭାକୁ ସମ୍ବୋଧନ କରିଥିବାବେଳେ ଏହାକୁ ଅନ୍ୟ ଜଣେ ହିନ୍ଦୀରେ ଅନୁବାଦ କରିଥିଲେ । ଆଉ ମଞ୍ଚରୁ ବିଜେପି ସରକାରଙ୍କୁ ଟାର୍ଗେଟ କରିଥିଲେ ।

Advertisment

ତେଜସ୍ବୀ ଯାଦବଙ୍କର ଭୋଟର ଲିଷ୍ଟରୁ ନାଁ କଟିଯିବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଥିଲେ ଷ୍ଟାଲିନ୍ । କହିଥିଲେ, ’ଭୋଟର ଲିଷ୍ଟରୁ କାହା ନାଁ କାଟିଦେବା ଆତଙ୍କବାଦଠାରୁ ବି ସାଂଘାତିକ’ । ଏହାପରେ ଲାଲୁ ଯାଦବଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ ’ ଆମ ନେତା କରୁଣାନିଧି ଓ ଲାଲୁ ଯାଦବଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ଲାଲୁଙ୍କ ବିରୋଧରେ ଅନେକ ମକଦ୍ଦମା ଓ ଧମକ ଆସିଥିଲେ ବି ସେ କିନ୍ତୁ ଶକ୍ତ ହୋଇ ଛିଡ଼ା ହୋଇଛନ୍ତି । ରାଜନୀତିରେ ନିଜ ଛାପ ଛାଡ଼ିଛନ୍ତି । ଆଜି ତାଙ୍କ ବାଟରେ ବଢୁଛନ୍ତି ତାଙ୍କ ପୁଅ ତେଜସ୍ବୀ ଯାଦବ । କିଛି ଦିନ ହେବ ପୂରା ଭାରତ କେବଳ ବିହାରକୁ ଦେଖୁଛି । ଯେବେ ବି ଭାରତ ବର୍ଷର ଗଣତନ୍ତ୍ର ଉପରେ ବିପଦର ଆଭାସ ମିଳିଛି , ବିହାରରୁ ହିଁ ତାର ବିଗୁଲ ବାଜିଛି’ ।