କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ମହିଳା। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା। ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା ବି ନିଜ ଦାବି ପାଇଁ ଆନ୍ଦୋଳନ କରିଛନ୍ତି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ଓ ଅନ୍ୟାନ୍ୟ ଦାବିରେ ଉଭୟ ଗୋଷ୍ଠୀ ଆନ୍ଦୋଳନ କରିଛନ୍ତି।
ବିଧାନସଭା ଅଧିବେଶନ ବେଳେ କମ୍ପିଛି ଭୁବନେଶ୍ବର ଗାନ୍ଧୀମାର୍ଗ । ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ଧାରଣା ଦେଇଛନ୍ତି । ବିଧାନସଭା ଘେରାଉ କରିଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା, ଓଡ଼ିଶା ଗୋଷ୍ଠୀ ସହାୟିକା ମହିଳା- ସିଆରପି। ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା । ଦୀର୍ଘ ୧୨ବର୍ଷରୁ ଅଧିକ ସମୟ ହେବ ମିଶନ ଶକ୍ତି ଅଧିନରେ ସେବା ଯୋଗାଇ ଆସୁଥିଲେ । ହେଲେ ଏବେ ରିଷ୍ଟ୍ରକ୍ଚରିଙ୍ଗ ନାଁରେ ସେମାନଙ୍କୁ କାଢ଼ିବାକୁ ଯୋଜନା ହୋଇଥିବା ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ମିଶନଶକ୍ତି କାର୍ଯ୍ୟନିର୍ବାହୀ ସଦସ୍ୟା ।
ସେହିଭଳି ଶହ ଶହ ସଂଖ୍ୟାରେ ଗୋଷ୍ଠୀ ସହାୟିକା ମହିଳା- ସିଆରପି ବି ଆଜି ରାଜଧାନୀର ରାସ୍ତାରାସ୍ତାରେ ଗର୍ଜିଛନ୍ତି । ମିଶନଶକ୍ତି ଅଧିନରେ ଆସୁଛନ୍ତି ଏହି ଗୋଷ୍ଠୀ ସହାୟିକା ମହିଳା । ୧୧ ଦଫା ଦାବି ନେଇ ଏମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଉଭୟ ଗୋଷ୍ଠୀର ମୁଖ୍ୟଦାବି ରହିଛି
- ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ
- ମାସିକ ସର୍ବନିମ୍ନ ମଜୁରୀ, ବିଭିନ୍ନ ଭତ୍ତା ପ୍ରଦାନ କରିବା
ଉଭୟ ଗୋଷ୍ଠୀକୁ ସରକାର ଆଲୋଚନା ପାଇଁ ଡାକିଥିଲେ । କିନ୍ତୁ ବୈଠକ ସେଭଳି ଫଳପ୍ରଦ ହୋଇନଥିବା ଜଣାପଡ଼ିଛି ।