କନକ ବ୍ୟୁରୋ :  ପୂର୍ବ ସରକାର ସମୟରେ ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଏଥିପାଇଁ ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ମିସନଶକ୍ତି ଗୃହ । ଏବେ ସରକାର ବଦଳିବା ପରେ କିନ୍ତୁ ବିଭିନ୍ନ ସ୍ଥାନରେ ଥିବା ମିସନ ଶକ୍ତି ଗୃହରେ ତାଲା ଝୁଲୁଛି, ଭୁତକୋଠି ପାଲଟିଛି ।   

Advertisment

ପୁରୀ ଜିଲ୍ଲା କାକଟପୁରରେ ଥିବା କାକଟପୁର ବ୍ଳକ ମିସନଶକ୍ତି ଗୃହ ବହୁ ଦିନ ଧରି ତାଲା ପଡି ରହିଛି । ଫଳରେ ମିସନଶକ୍ତି ମହିଳା ବୈଠକ କରିପାରୁନାହାନ୍ତି । ୩୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ଘର ଉଦଘାଟନ ହୋଇନଥିବାରୁ ଖୋଲୁନାହିଁ । ମିସନ ଶକ୍ତି ଭବନ ତାଲା ଖୋଲିବାକୁ ବ୍ଳକ ଅଧକ୍ଷ ଶ୍ରୀଧର ନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ମହିଳା । କିନ୍ତୁ କେବେ ଖୋଲିବ ପ୍ରତିଶ୍ରୃତି ମିଳିନି। ଗଞ୍ଜାମର ଆସିକା ଓ ଧରାକୋଟ ବ୍ଲକରେ ବି ସେଇ ଏକା ଅବସ୍ଥା । ସରକାର ବଦଳିବା ପରେ ଅନେକ ନିର୍ମାଣଧିନ ଘର କାମ ହେଉନାହିଁ । ଆଉ କିଛି ମିସନ ଶକ୍ତି ଘର କେବଳ ମହିଳାଙ୍କ ମାସିକ ବୈଠକରେ ସୀମିତ ହୋଇ ରହିଯାଇଛି । 
 
ଭିତରେ ରହିଛି ଦାମିକିଆ ସାମାନ। ଜୟପୁର ପୌରପାଳିକା ଅଧୀନରେ ଥିବା ଗୌଡ ସାହିର ମିଶନ ଶକ୍ତିର  ଘର  କାନ୍ଥ ବାଡ଼ରେ ସୁନ୍ଦର ଚିତ୍ର, ପିଲାଙ୍କ ଖେଳିବା ଉପକରଣ ବି ଅଛି, କିନ୍ତୁ ପଡିଛି ତାଲା । କାଫେ ଚାଲୁ ନଥିବାରୁ ତାଲା ପକାଇ ଚାବି ରଖିଛନ୍ତି ଜଗୁଆଳି । ପାଟଣାଗଡ଼ ରାମପୁର ବସଷ୍ଟାଣ୍ଡର ଏହି ମିଶନ ଶକ୍ତି କାଫେ ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା । ଦୁଇ ତିନି ମାସ କାଫେ ବହୁ କଷ୍ଟରେ ଚାଲିଲା ପରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ୪୦ଲକ୍ଷ ଖର୍ଚ୍ଚ କରି କାଫେ ନିର୍ମୀତ ହୋଇଥିବା ବେଳେ ଏବେ ଭୁତକୋଠି ପାଲଟିଛି ।

ବାଲେଶ୍ୱର ହରିପୁରର ମିଶନ ଶକ୍ତି ଗୃହରେ ମଧ୍ୟ ଦୀର୍ଘ ଦିନ ହେଲା ତାଲୁ ଝୁଲୁଛି । ପରିତ୍ୟକ୍ତ ହୋଇପଡିଥିବାରୁ ଚାରିପଟେ ଅନବାନ ଘାସ ଉଠିଲାଣି । ମହିଳା ସ୍ବାବଲମ୍ବୀ ହେବେ, ଜୀବିକାରେ ପରିବର୍ତ୍ତନ ହେବ । ଏହାକୁ ଦୃଷ୍ଟିରେ ରଖି ସେହିସମୟର ସରକାର ମିଶନ ଶକ୍ତି କାଫେ ଓ ଘର ନିର୍ମାଣ କରିଥିଲେ । ହେଲେ ଅଧିକାଂଶ ସ୍ଥାନରେ ତାଲା ପଡିବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।