କନକବ୍ୟୁରୋ : ରାଜଧାନୀରୁ ମହିଳା ଟ୍ରାଫିକ୍ କନ୍‌ଷ୍ଟେବଳ ନିଖୋଜ ଘଟଣାର ପର୍ଦ୍ଦାଫାସ ।  କେନ୍ଦୁଝର ଘଟଗାଁ ନିକଟ ଜଙ୍ଗଲରୁ ମାଟି ତଳୁ ମିଳିଲା ମୃତଦେହ। ଜେସିବିରେ ଖୋଳାଯିବା  ପରେ ସିମେଣ୍ଟ ଅଖାରେ ବନ୍ଧା ଅବସ୍ଥାରେ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଥିଲା ପୋଲିସ। ସେଠାରେ ମାଟି ଖୋଳି ଶୁଭ୍ରମିତାଙ୍କ ମୃତଦେହ ବାହାର କରାଯାଇଛି ।  ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଛି। ପ୍ରଥମେ ଘଟଗାଁ ଥାନାକୁ ନିଆଯିବା ପରେ କ୍ରାଇମ୍‌ସ୍ପଟ୍‌କୁ ନେଇଥିଲା ପୁଲିସ  ।

Advertisment

ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା ।  ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା ।  ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟିତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ ।  ଭୁବନେଶ୍ବରରେ ଏକ କାର ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ ।  ଆଉ ତା’ ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା। ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ  ।