ଦର୍ଶକବନ୍ଧୁ ଆପଣ ଯଦି ସିନେପ୍ରେମୀ ତାହେଲେ ୨୦୦୪ ମସିହାରେ ବଲିଉଡରେ ଏକ ସିନେମା ରିଲିଜ୍ ହୋଇଥିଲା । ଯେଉଁଥିରେ ବଲିଉଡର ବାଦଶାହା କୁହାଯାଉଥିବା ଶାହରୁଖ୍ ଖାନ୍ ଜଣେ ଏୟାରଫୋର୍ସ ଅଫିସରଙ୍କ ଭୂମିକାରେ ନଜର ଆସିଥିଲେ । ସିନେମାରେ କେମିତି ନିଜ ପ୍ରେମକୁ ହାସିଲ୍ କରିବା ପାଇଁ ସେ ଭାରତରୁ ପାକିସ୍ତାନ ଯାଇଥିଲେ ଏବଂ ସେଠାରେ ପରିସ୍ଥିତି କେମିତି ତାଙ୍କୁ ୨୨ ବର୍ଷ କାଳ ବନ୍ଦୀ ଜୀବନ କାଟିବାକୁ ବାଧ୍ୟ କରିଥିଲା ଏହି କାହାଣୀକୁ ନେଇ ଗତିଶୀଳ ହୋଇଥିଲା ସିନେମା ‘ବିର୍ ଜାରା’ । ଚଳଚ୍ଚିତ୍ରଟି ଦର୍ଶକଙ୍କ ମନକୁ ଏତେମାତ୍ରାରେ ଛୁଇଁଥିଲା ଯେ ଏ ପର୍ୟ୍ୟନ୍ତ ସେହି ଭଳି ଏକ ସିନେମା ପରଦାରେ ଦେଖିବାକୁ ଦର୍ଶକ ଯେମିତି ଅପେକ୍ଷା କରି ବସିଛନ୍ତି ।
ଏ ତ ଗଲା ସିନେମା କଥା କିନ୍ତୁ ଥରେ ଭାବିଲେ ବାସ୍ତବରେ ନିଜ ଦେଶ ଛାଡ଼ି ପଡୋଶୀ ଶତ୍ରୁ ଦେଶରେ ଯଦି ୨୨ ବର୍ଷ କାଳ ଜୀବନ ବିତାଇବାକୁ ପଡ଼େ? ପାଖରେ କେହି ଆହାଃ ପଦେ କହିବାକୁ ନଥିବେ , ବିନା ସାହାରାରେ ଅଚିହ୍ନା ଲୋକଙ୍କ ଗହଣରେ ରହିବାକୁ ପଡ଼େ ତେବେ କେମିତି ହେବ ଜୀବନ? ଭାବିଲେ ଦେହ ଶିହରି ଉଠୁଛି ନା? ଦର୍ଶକବନ୍ଧୁ ଆମେ ଏ ଚିନ୍ତାକୁ ମୁଣ୍ଡରେ ଆଣିଲେ ଭୟ ଲାଗୁଛି କିନ୍ତୁ ଜଣେ ଭାରତୀୟ ମହିଳା ୨୨ ବର୍ଷ କାଳ ପାକିସ୍ତାନରେ ଏଭଳି ଯନ୍ତ୍ରଣାକୁ ସହି ଏବେ ସ୍ବଦେଶ ଫେରିଛନ୍ତି ।
ନାଁ ତାଙ୍କର ହମିଦା ବାନୋ । ୨୦୦୨ ମସିହାରେ ହମିଦାଙ୍କୁ ଜଣେ ଏଜେଣ୍ଟ୍ ଦୁବାଇରେ ରୋଷେୟା ଚାକିରି କରାଇଦେବାକୁ କହି ନେଇଥିଲେ। କିନ୍ତୁ ଦୁବାଇ ପରିବର୍ତ୍ତେ ପାକିସ୍ତାନରେ ଛାଡ଼ିଦେଲେ। ଅସହାୟ ହମିଦାଙ୍କ ପାଖରେ ନା ଥିଲା କୌଣସି ବୈଧ ଡକ୍ୟୁମେଣ୍ଟ୍ ନା ଥିଲା ସାହାଯ୍ୟର ଆଶା । ଭାରତରେ ୪ ପିଲାଙ୍କୁ ଛାଡ଼ି ପେଟ ପାଇଁ ବାହାରକୁ ଯାଇଥିବା ବିଧବା ମହିଳା ଜଣକ ପାକିସ୍ତାନ ପହଞ୍ଚିବା ପରେ ଭୟରେ ପାକିସ୍ତାନୀ ଅଧିକାରୀଙ୍କୁ ବି ନିଜ ଦୁଃଖ ଜଣାଇପାରିନଥିଲେ । କିଛି ବର୍ଷ ପରେ ସେ କରାଚିରେ ଜଣେ ବ୍ୟକ୍ତିଙ୍କୁ ବିବାହ କରି ରହିଲେ । କିନ୍ତୁ ଦୁର୍ଭାଗ୍ୟ ଦେଖନ୍ତୁ କରୋନା କାଳରେ ଦ୍ବିତୀୟ ସ୍ବାମୀ ମଧ୍ୟ ଆରପାରିକୁ ଚାଲିଗଲେ । ଦୁଃଖର ପାହାଡ଼ ଯେମିତି ୨ ଗୁଣ ବଢିଗଲା ।
୨୦୨୨ ରେ ହମିଦା ବାନୋଙ୍କ ଜୀବନର ଗତି ପରିବର୍ତ୍ତନ କରିଦେଲା ସୋସିଆଲ୍ ମିଡ଼ିଆ । ଏକ ବ୍ଲଗ୍ ଜରିଆରେ ପ୍ରଥମଥର ପାଇଁ ଭାରତରେ ଥିବା ତାଙ୍କ ପିଲାମାନେ ମା’ଙ୍କୁ ଦେଖି ଚିହ୍ନିଥିଲେ ଏବଂ ମା’ପିଲାଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପିଲାଙ୍କ ସହ କଥା ହୋଇ ମା’ କାନ୍ଦି କାନ୍ଦି କହିଥିଲେ ଯେ ସେ ୨୨ ବର୍ଷ ହେଲାଣି ଇଦ୍ ପାଳିନାହାନ୍ତି । ପ୍ରତିଟି ପର୍ବରେ ସେ ଗୋଟିଏ କୋଣରେ ବସି କାନ୍ଦୁଥିଲେ ଏବଂ ପିଲାଙ୍କୁ ଦେଖାକରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ପାକିସ୍ତାନର ଅଧିକାରୀ ତଥା ନ୍ୟୁଜ୍ ଚ୍ୟାନେଲ୍ ସହ ଆଲୋଚନା ବେଳେ ସେ ଭାରତ ଫେରିବା କଥା ଉଠାଇଥିଲେ ଏବଂ ଶେଷରେ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇଛି ପାକିସ୍ତାନ ପ୍ରଶାସନ । ହମିଦାଙ୍କୁ ୱାଘା ବର୍ଡରରୁ ଭାରତ ପଠାଇବାର ପୁରା ବ୍ୟବସ୍ଥା କରାଗଲା । ମୁମ୍ବାଇରେ ଜନ୍ମିତ ହମିଦା ବାନୋ ମାନବ ତସ୍କରୀର ଶିକାର ହୋଇ ଦୀର୍ଘ ୨୨ ବର୍ଷ କାଳ ପାକିସ୍ତାନରେ ଫସିଥିଲେ । ଏବେ ତାଙ୍କ ଘରବାହୁଡ଼ା ଖବର ପରିବାର ସମେତ ସମ୍ପୁର୍ଣ୍ଣ ଦେଶ ପାଇଁ ଖୁସି ଖବର ନେଇଆସିଛି ।