କନକ ବ୍ୟୁରୋ: ଏକ ନଦୀରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ଏହା ଆତ୍ମହତ୍ୟା ନା ହତ୍ୟା ଏନେଇ ପୁଲିସ ତଦନ୍ତ କରୁଛି । ତ୍ରିପୁରାର ଝିଅ ଦିଲ୍ଲୀରେ କ୍ୟାରିୟର ଗଢ଼ିବାକୁ ଆସିଥିଲେ କିନ୍ତୁ ୧୯ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ନେହା ଦେବନାଥ
ସକାଳୁ ୫.୫୦ରେ ମା’ଙ୍କୁ ଫୋନ୍ କରିବା ପରେ ଆଉ ମିଳିନଥିଲା ସ୍ନେହା ଦେବନାଥଙ୍କ କୌଣସି ଖୋଜଖବର । ଘର ପରିବାର, ସମ୍ପର୍କୀୟ, ସାଙ୍ଗସାଥୀ ଖୋଜିବା ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା । ଶେଷରେ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିଥିଲେ ତ୍ରିପୁରାରେ ରହୁଥିବା ସ୍ନେହାଙ୍କ ପରିବାର । ପ୍ରାୟ ୭ଦିନ ପରେ ଯମୁନା ନଦୀରୁ ମିଳିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ।
ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ମୃତଦେହ ନଦୀରୁ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ? ଏହା ହତ୍ୟା ନା ଆତ୍ମହତ୍ୟା ? ଏନେଇ ଛାନଭିନ କରୁଛି ପୁଲିସ । ସେପଟେ ପରିବାର ଲୋକଙ୍କ ସୂଚନା ଅନୁସାରେ ଜୁଲାଇ ୭ ତାରିଖ ଭୋର୍ରୁ ମା’ଙ୍କୁ ଫୋନ୍ କରିଥିଲେ ସ୍ନେହା । ସାଙ୍ଗ ସହ ଭେଟିବାକୁ ଯାଉଥିବା କହିଥିଲେ । ପରେ ସ୍ନେହାଙ୍କ ଫୋନ୍ ବନ୍ଦ ହେବା ସହ କୌଣସି ଖବର ମିଳିନଥିଲା । ସାଙ୍ଗକୁ ପରିବାର ଲୋକ ପଚାରିବାରୁ ସ୍ନେହା ତାଙ୍କୁ ଭେଟିବାକୁ ଆସିନଥିବା କହିଥିଲେ ।
ସନ୍ଦେହ ପରେ ପୁଲିସ ସହ ଯୋଗାଯୋଗ କରିଥିଲେ ପରିବାର । ତ୍ରିପୁରା ଓ ଦିଲ୍ଲୀ ପୁଲିସ ଫୋନ୍ ଟ୍ରାକ୍ କରିଥିଲା । ସ୍ନେହାଙ୍କ ଶେଷ ଲୋକେସନ୍ ଥିଲା ସିଗନେଚର ବ୍ରିଜ୍ । ତେବେ ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଆଶଙ୍କା ପ୍ରକାଶ ପାଇଛି । ସେପଟେ କ୍ୟାରିୟରରେ ବିଫଳତା ଓ ଘରର ଚାପ ପାଇଁ ସ୍ନେହା କିଛି ଦିନ ହେବ ଚିନ୍ତାରେ ଥିବା ସାଙ୍ଗମାନେ ପୁଲିସକୁ କହିଛନ୍ତି । ସ୍ନେହାଙ୍କ ବାପା ପୂର୍ବତନ ସେନାଧିକାରୀ ଥିବାବେଳେ ମା ଗୃହିଣୀ । କ୍ୟାରିୟର ଗଢ଼ିବାକୁ ସ୍ନେହା ଦିଲ୍ଲୀ ଆସିଥିବା ବେଳେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ତେବେ ମୃତ୍ୟୁ ପଛର କାରଣ ଖୋଜିବା ପାଇଁ ଉଭୟ ଦିଲ୍ଲୀ ଓ ତ୍ରିପୁରା ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରିବା ସହ ବିଶ୍ବବିଦ୍ୟାଳୟର ସହପାଠୀଙ୍କୁ ମଧ୍ୟ ଜେରା କରୁଛି ।