କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ମହାଲଢ଼େଇ । ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି । ଇରାନ ମଧ୍ୟ ଇସ୍ରାଏଲ ଓ ଆମେରିକାର ସୈନ୍ୟ ଠିକଣା ଉପରେ ପାଲଟା ଆକ୍ରମଣ କରୁଛି । ଆକାଶରେ ମିଶାଇଲର ଗର୍ଜନ, ଡ୍ରୋନ ବିସ୍ଫୋରଣ ଓ ବିଭିନ୍ନ ସହରରେ ଯୁଦ୍ଧକାଳୀନ ସାଇରନରେ ଥରି ଉଠୁଛି ସମଗ୍ର ମଧ୍ୟପ୍ରାଚ୍ୟ । ଇରାନ ସହ ଇସ୍ରାଏଲ ଓ ଆମେରିକା ମଧ୍ୟରେ ଭୟଙ୍କର ଯୁଦ୍ଧ । ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଯୁଦ୍ଧ ଭିତରେ ହଜାରରେ ଅଧିକ ମୃତ୍ୟୁ ହେଲାଣି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନ ୭୮୭, ଲୋବାନରରେ ୬୦ରୁ ଅଧିକ, ଇସ୍ରାଏଲରେ ୧୨ରୁ ଅଧିକ ନାଗରିକ ଓ ଆମେରିକାର ୬ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଯୁଦ୍ଧରେ ଆହତଙ୍କ ସଂଖ୍ୟା ୫ ହଜାର ଟପିଲାଣି ।

Advertisment

ଏହାରି ଭିତରେ ଇସ୍ରାଏଲର ଡିମୋନା ପରମାଣୁ ଠିକଣା ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇରାନ । ଯାହା ମଧ୍ୟପ୍ରାଚ୍ୟର ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ଇସ୍ରାଏଲ ଏୟାରଫୋର୍ସ ଦାବି କରିଛି, ଇରାନ ଉପରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ମିଶାଇଲ, ଡ୍ରୋନ ଓ ବୋମା ମାଡ଼ କରିଛି । କେବଳ ଇରାନର ସୈନ୍ୟ ଶିବିର ଓ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା ଇସ୍ରାଏଲ  ସେନା ପକ୍ଷରୁ ସୋସିଆଲ ମିଡ଼ିଆରେ ଦିଆଯାଇଛି ।  ଇରାନର ରାଜଧାନୀ ତେହରାନ ସମେତ ବିଭିନ୍ନ ସହର ଉପରେ ଇସ୍ରାଏଲ ଓ ଆମେରିକା ଆକାଶରୁ ଅଗ୍ନିବର୍ଷା କରୁଛନ୍ତି ।

ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ମହାବିନାଶର ଆଶଙ୍କା: ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଫ୍ରାନ୍ସ, ପରମାଣୁ ଯୁଦ୍ଧ ଜାହାଜ ମୁତୟନ !

ସେପଟେ ଆମେରିକାର ସୈନ୍ୟଠିକଣା ସମେତ ଦୂତାବାସ ଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ଇରାନ୍ । ରିଆଦ ଏବଂ ଦୁବାଇସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ହୋଇଛି । ଉଭୟ ପକ୍ଷରୁ ସାମରିକ ଆଡ୍ଡାକୁ ଧ୍ୱଂସ କରାଯାଇ ବ୍ୟାପକ କ୍ଷୟକ୍ଷତି କରାଯାଉଥିବା ଦାବି କରାଯାଉଛି । ହେଲେ ଏହାର ପୁଷ୍ଟି କରିବା କରିବା ସମ୍ଭବ ହେଉନାହିଁ । ଲଗାତାର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଥିମଧ୍ୟରୁ କେଉଁଟା ସତ କେଉଁଟା ମିଛ ବାରିବା ମୁସ୍କିଲ ହୋଇପଡ଼ିଛି । ଏବେ ସମଗ୍ର ବିଶ୍ୱର ନଜର ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧର ବିଭୀଷିକା ଉପରେ ରହିଛି ।