କନକ ବ୍ୟୁରୋ: ଅନ୍ତର୍ଜାତୀୟ ପ୍ରତିଷ୍ଠାନ ପକ୍ଷରୁ ମିଳିଲା କୋଟି କୋଟି ଟଙ୍କାର ଉପହାର । ପୂର୍ବ ସରକାରଙ୍କ ଅବହେଳା ଲାଗି ଦୀର୍ଘ ୩ବର୍ଷ ହେଲା ସେ ଗୁଡିକ ବ୍ୟବହାର ନହୋଇ ଅଲୋଡ଼ା ଭାବେ ପଡ଼ି ରହି ଖତ ଖାଉଛି । ଏବେ ଆମେ କନକ ନ୍ୟୁଜ କ୍ୟାମେରାରେ ଚିତ୍ର କଏଦ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି, ସେଗୁଡ଼ିକ ବ୍ୟବହାର କରିବା ଲାଗି ଯୋଜନା ଚାଲିଛି । 
  
ଚିକିତ୍ସା ପାଇଁ ପ୍ରାୟ କୋଟିଏରୁ ଅଧିକ ଲୋକ ବ୍ରହ୍ମପୁରର MKCG ମେଡିକାଲ କଲେଜ ଉପରେ ନିର୍ଭର କରିଥାଆନ୍ତି । ରାଜ୍ୟର ପ୍ରଥମ ତିନୋଟି ପୁରାତନ ମେଡିକାଲ କଲେଜ ମଧ୍ୟରେ MKCG ଅନ୍ୟତମ ହୋଇଥିବାରୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଷ୍ଠାନ ଗୁଡ଼ିକ ବିଭିନ୍ନ ସମୟରେ ଏହି ମେଡିକାଲକୁ ସହଯୋଗର ହାତ ବଢ଼ାଇଛନ୍ତି । କୋଟିକୋଟି ଟଙ୍କାର ବିଭିନ୍ନ ଯନ୍ତ୍ରପାତି ଉପହାର ଆକାରରେ ଦେଇଥାନ୍ତି । ହେଲେ ପରିତାପର ବିଷୟ ସେଗୁଡିକ ବ୍ୟବହାର ନହୋଇ ଖତ ଖାଉଛି । 

Advertisment


୨୦୨୧ ମସିହା ଡିସେମ୍ବର ମାସରେ ଆମେରିକା ଇଣ୍ଡିଆ ଫାଉଣ୍ଡେସନ ବା ଇଓୠ ପକ୍ଷରୁ ଏକା ଥରରେ ୫୦ଜଣ ରୋଗୀଙ୍କ ଚିକିତ୍ସା ଲାଗି ଆନୁସଙ୍ଗିକ ବ୍ୟବସ୍ଥା ଥାଇ ୭ଗୋଟି ଅତ୍ୟାଧୁନିକ ପୋର୍ଟେବଲ୍ ହେଲ୍ଥ କେୟାର ୟୁନିଟ ପାଇଁ ସହାୟତା ଦିଆଯାଇଥିଲା । ତତ୍କାଳୀନ ରାଜ୍ୟ ସରକାରଙ୍କ ମାଧ୍ୟମରେ MKCG ମେଡିକାଲକୁ ଏହି ଉପହାର ଦିଆଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ହେବ । ହେଲେ, ଏବେ ତାହା ଖତ ଖାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । 
 
 
ପୋର୍ଟେବଲ୍ ହେଲଥ କେୟାର ୟୁନିଟ ଗୁଡ଼ିକରେ ୧୩ଗୋଟି ଏସି, ଆସବାବ ପତ୍ର ସହ ଡାକ୍ତର ଓ ନର୍ସଙ୍କ ରହିବା ସୁବିଧା, ସ୍ଵାସ୍ଥ୍ୟସେବା ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ଓ ଶୌଚାଳୟ ଉପଲବ୍ଧ ରହିଛି । ହେଲେ ବ୍ୟବହାର ହେଉନଥିବାରୁ ସେଗୁଡିକୁ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ସେବାର ବିନିଯୋଗ କରିବା ପାଇଁ ବୁଦ୍ଧିଜୀବୀ ପ୍ରସ୍ତାବ ରଖିଛନ୍ତି । ଅନ୍ୟପଟେ ୟୁନିଟଗୁଡ଼ିକର ବ୍ୟବହାର ଆଗାମୀ ସ୍ଵାସ୍ଥ୍ୟ ବିକାଶ ସମିତି ବୈଠକରେ ଆଲୋଚନା କରିବେ ବୋଲି କହିଛନ୍ତି  ମେଡିକାଲ ଅଧିକ୍ଷକ । ଉପହାର ଭାବି ପୂର୍ବ ସରକାରଙ୍କ ଅବହେଳା ଲାଗି କୋଟି କୋଟି ଟଙ୍କାର ସାମଗ୍ରୀ ଅଲୋଡ଼ା ହୋଇ ପଡ଼ି ରହିଛି। ତେବେ ରାଜ୍ୟର ନୂଆ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର।