କନକ ବ୍ୟୁରୋ: ବର୍ଦ୍ଧିତ ଭତ୍ତା ଟଙ୍କା ଫେରସ୍ତ କର ନହେଲେ ଭତ୍ତା ବନ୍ଦ ହେବ କହି ୮୫ ପ୍ରତିଶତ ଦିବ୍ୟାଙ୍ଗଙ୍କ ଭତ୍ତା ବନ୍ଦ କରି ଦେଲା ବ୍ଲକ ପ୍ରଶାସନ, ଚିନ୍ତାରେ ହିତାଧିକାରୀ । ବାଲିଆପାଳ ବ୍ଲକ ପ୍ରଶାସନର ବିଚିତ୍ର ନିତି, ପ୍ରଥମେ ବର୍ଦ୍ଧିତ ଭତ୍ତା ପାଇବାର ମନୋନୀତ ହୋଇଥିବା କହି ଭତ୍ତା ଦେଲେ ପରେ ଭୁଲ ବଶତଃ ଦିଆ ଯାଇଥିବାରୁ ଫେରସ୍ତ ଦେବାକୁ କହି ଭତ୍ତା ବନ୍ଦ କରିଦେଲେ, ଅସହାୟ ଗରିବ ଏବଂ ଭିନ୍ନକ୍ଷମ ଲୋକେ ଖର୍ଚ୍ଚ କରିଦେଇଥିବା ଅର୍ଥ ଫେରାଇବା ନେଇ ଚିନ୍ତାରେ ।

Advertisment

୪ ମାସ ବର୍ଦ୍ଧିତ ଭତ୍ତା ଦେବା ପରେ ଏବେ ପ୍ରଶାସନ ବର୍ଦ୍ଧିତ ଟଙ୍କା ଫେରସ୍ତ କରିବାକୁ କହୁଛି, ନଦେବା ପର୍ଯ୍ୟନ୍ତ ଭତ୍ତା ବନ୍ଦ କରି ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରେ ଶହେରୁ ଅଧିକ ହିତାଧିକାରୀ ଏବେ ଏପରି ସମସ୍ୟା ଭୋଗୁଛନ୍ତି । ସରକାର ଚଳିତବର୍ଷ ଜାନୁଆରିରୁ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଓ ମାନସିକ ଭିନ୍ନକ୍ଷମ ଏବଂ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି । ବଡାସ ପଞ୍ଚାୟତ କାଠ ଶଗଡା ଗ୍ରାମର ଜୟନ୍ତୀ ଧଳ ୮୫ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ଜାନୁଆରିରୁ ଏପ୍ରିଲ ଯାଏଁ ୪ ମାସ ବର୍ଦ୍ଧିତ ଭତ୍ତା ପାଇଛନ୍ତି । ହେଲେ ଚଳିତ ମାସ ବର୍ଦ୍ଧିତ ଭତ୍ତା ଫେରସ୍ତ କରିଦେବାକୁ କହି ଭତ୍ତା ବନ୍ଦ କରିଦେଇଛି ପ୍ରଶାସନ । 

ବଡାଶ ପଞ୍ଚାୟତର ୨୦ରୁ ଅଧିକ ହିତାଧୀକାରୀ ଏଭଳି ସମସ୍ୟା ଭୋଗୁଥିବା ବେଳେ ବାଲିଆପାଳ ବ୍ଲକର ଏପରି ଶତାଧିକ ଅଭିଯୋଗ ସାମ୍ନାକୁ ଆସିଛି । ଚାରିମାସର ବର୍ଦ୍ଧିତ ଭତ୍ତା ରାଶି ବାବଦକୁ ୯ ହଜାର ୨ ଶହ ଟଙ୍କା ଫେରାଇବାକୁ ହିତାଧିକାରୀଙ୍କୁ କୁହାଯାଇଛି । ଏନେଇ ହିତାଧିକାରୀମାନେ ବ୍ଲକ ଆସି ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି। ତେବେ ବଳକା ଅର୍ଥ ନଫେରାଇବା ଯାଏଁ ଭତ୍ତା ଦିଆଯିବ ନାହିଁ ବୋଲି ଅଧିକାରୀ ରୋକଠୋକ କହିଛନ୍ତି । ଅନ୍ୟପଟେ ତଦନ୍ତ ଜାରି ରହିଛି, ସରିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏବିଡିଓ ।

ପ୍ରଶ୍ନ ଉଠିଛି, ପ୍ରଶାସନ ପକ୍ଷରୁ କିପରି ଏମିତି ଭୁଲ ହେଲା? ଆଉ ଏହାର ପରିଣାମ ହିତାଧିକାରୀମାନେ କାହିଁକି ସହିବେ? ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।