କନକ ବ୍ୟୁରୋ: ଘର ବାହାର ପଟୁ କବାଟ ବନ୍ଦ କରି ୨ଟି ବାଇକ ଜାଳିଦେଲେ ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତରେ ଏହି ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଇକ ସହ ଘର ପୋଡିଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଞ୍ଚାୟତରେ ଏହି ଘଟଣା ଘଟିଛି । ଏହି କାଣ୍ଡ ଭିଆଇ ଦୁବୃର୍ତ୍ତ ଜଣକ ଫେରାର ହେଇଯାଉଥିବା ପାଖରେ ଥିବା ଏକ ସିସିଟିଭି ଫୁଟେଜରୁ ଜଣାପଡ଼ୁଛି । ଗାଁର ଶତ୍ରୁଘ୍ନ ରାଉତଙ୍କ ବାଇକକୁ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି । ଫଳରେ ଆଜବେଷ୍ଟସ୍ ଘରେ ଥିବା ଗୋଟିଏ ବାଇକ ଓ ସ୍କୁଟିକୁ ଜଳଯିବା ସହ ବାଇକ୍ ଟାଙ୍କି ଫାଟି ଘର ଭାଙ୍ଗିଯାଇଛି । ଘରେ ଥିବା ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ଏନେଇ ଶତ୍ରୁଘ୍ନ ରାଉତ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ ଶତ୍ରୁଘ୍ନ ରାଉତଙ୍କ ପରିବାର ଶୋଇଥିବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ପରିବାର ଲୋକେ ଆସି ବାଇକ ଜଳୁଥିବାର ଦେଖିବାକୁ ପାଇଥିଲେ । ପରେ ସେମାନେ ଆଖପାଖ ଲୋକଙ୍କୁ ଡାକିବା ସହ ଦମକଳ ବିଭାଗକୁ ଫୋନ କରି ଜଣାଇଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।