କନକ ବ୍ୟୁରୋ: ରାଜଧାନୀ ବାଙ୍ଗାଲୋର ଏକ୍ସପ୍ରେସ ରେଷ୍ଟୁରାଣ୍ଟରେ ହଙ୍ଗାମା । ଯାହାକୁ ପାରିଲେ ତାହାକୁ ପିଟିଲେ । ଚନ୍ଦକା ପଥରଗଡିଆ ରାସ୍ତାରେ ଥିବା ବାଙ୍ଗାଲୋର ଏକ୍ସପ୍ରେସରେ ରେଷ୍ଟୁରାଣ୍ଟରେ ଦୁର୍ବୃର୍ତ୍ତ ଦେଖାଇଲେ ଭାଇଗିରି । ସିଟ୍ ନମିଳିବାରୁ ରେଷ୍ଟୁରାଣ୍ଟରେ ବସିଥିବା କେତେକ ଯୁବକଙ୍କୁ ଚେୟାର ଉଠାଇ ପିଟିଲେ । ପ୍ରତିରୋଧ କରିବାରୁ ବ୍ୟାପକ ଭଙ୍ଗାରୁଜା କରିବା ସହ ହାତରେ ଯାହା ପଡ଼ିଲା ତାକୁ ଧରି ଗୋଡେଇ ଗୋଡେଇ ମାରିଲେ । ଭୟରେ ରେଷ୍ଟୁରାଣ୍ଟରେ ବସିଥିବା ଯୁବକ ଯୁବତୀ ଯିଏ ଯୁଆଡେ ପାରିଲା ଦୌଡିଲା । ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି । ବଡ କଥା ହେଲା, ଥାନା ଅଞ୍ଚଳ ଭାଗବଣ୍ଟାକୁ ନେଇ ଖବର ପାଇବା ପରେ ବି ଚନ୍ଦକା ପୋଲିସ ଓ ଇନଫୋସିଟି ପୋଲିସ ଭିତରେ ଟଣା ଓଟରା ଯୋଗୁଁ କୌଣସି ଥାନା ପୋଲିସ ଘଟଣା ସ୍ଥଳକୁ ଗଲେ ନାହିଁ କି ଦୁର୍ବୃର୍ତ୍ତଙ୍କ କବଳରୁ ମାଡ ଖାଉଥିବା ଯୁବକଙ୍କୁ ବଞ୍ଚାଇଲେ ନାହିଁ । ଘଟଣାଟି ରବିବାର ସନ୍ଧ୍ୟା ପାଖାପାଖି ସାଢ଼େ ୬ଟାରୁ ୭ଟା ମଧ୍ୟରେ ଘଟିଛି ।