କନକ ବ୍ୟୁରୋ : ୨୦୨୪ ମସିହାରେ ହନୁମାନ ଫିଲ୍ମ ମାଧ୍ୟମରେ ସାରା ବିଶ୍ୱରେ ଚର୍ଚ୍ଚା ସାଉଁଟିବା ପରେ ଏବେ ଅଭିନେତା ତେଜା ସଜ୍ଜା ‘ମିରାୟ’ ଫିଲ୍ମ ନେଇ ଆସିଛନ୍ତି । ଏହି ଫିଲ୍ମ ମଧ୍ୟ ୨ ଦିନରେ ନିଜର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ହନୁମାନ ଫିଲ୍ମ ମାଧ୍ୟମରେ ତେଜା ଏକ ସରପ୍ରାଇଜ୍ ପ୍ୟାକେଜ୍ ଭାବରେ ସାମ୍ନାକୁ ଆସିଥିଲେ । ଏହି ଫିଲ୍ମରେ ତାଙ୍କର ଆକ୍ସନକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ଏବେ ସେ ମିରାୟ ଫିଲ୍ମ ନେଇ ଆସିଛନ୍ତି । ଏହି ଫିଲ୍ମରେ ମଧ୍ୟ ତାଙ୍କର ଆକ୍ସନକୁ ପସନ୍ଦ କରାଯାଉଛି । ଏହା ସହିତ ବକ୍ସ ଅଫିସରେ ମଧ୍ୟ ଏହା ଧମାଲ୍ କରୁଛି । ଭାରତରେ ମିରାୟ ଫିଲ୍ମ ଓପନିଂ ଡେ’ରେ ୧୩ କୋଟି ଟଙ୍କାର କଲେକ୍ସନ କରିଛି । ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି ନିଜର କଲେକ୍ସନକୁ କମିବାକୁ ଦେଇ ନାହିଁ । ଦ୍ୱିତୀୟ ଦିନରେ ମିରାୟ ସାମାନ୍ୟ ବୃଦ୍ଧି ସହିତ ୧୩.୫୦ କୋଟି ଟଙ୍କା ରୋଜଗାର କରିଛି । ଏହି ହିସାବରେ ଫିଲ୍ମର ଦୁଇ ଦିନର ମୋଟ କଲେକ୍ସନ ୨୬.୫୦ କୋଟି ଟଙ୍କା ହୋଇଛି । ଏପରି ଆଶା କରାଯାଉଛି ଯେ ଫିଲ୍ମ ତୃତୀୟ ଦିନରେ ୫୦ କୋଟି ଟଙ୍କା ପାଖାପାଖି ପହଞ୍ଚିପାରେ । ରବିବାର ଦିନ ଛୁଟିବାର ହୋଇଥିବାରୁ ଏହାର ରୋଜଗାରରେ ଭଲ ଲାଭ ଦେଖିବାକୁ ମିଳିପାରେ ।

Advertisment
mirai-released
mirai-released Photograph: (KanakNews)

ଭାରତ ବ୍ୟତୀତ ବିଦେଶରେ ମଧ୍ୟ ତେଜା ସଜ୍ଜାଙ୍କ ଫିଲ୍ମର ଭଲ କଲେକ୍ସନ ଦେଖିବାକୁ ମିଳୁଛି । ଫିଲ୍ମର ଓପନିଂ ଡେ’ର ଓଭରସିଜ୍ କଲେକ୍ସନ ୮.୧୫ କୋଟି ଟଙ୍କା ହୋଇଛି । ଅର୍ଥାତ୍ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହି ଫିଲ୍ମର ଧୁମ୍ ଦେଖିବାକୁ ମିଳୁଛି । ଫିଲ୍ମର ୱାର୍ଲ୍ଡୱାଇଡ୍ କଲେକ୍ସନ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୨ ଦିନରେ ଏହି ଫିଲ୍ମ ୩୭ କୋଟି ଟଙ୍କା ରୋଜଗାର କରିଛି । ରିପୋର୍ଟ ଅନୁଯାୟୀ,ଏହି ଫିଲ୍ମର ବଜେଟ୍ ୫୦-୬୦ କୋଟି ଟଙ୍କା ବୋଲି କୁହାଯାଉଛି । ଅର୍ଥାତ୍ ଫିଲ୍ମଟି ୨ ଦିନରେ ହିଁ ନିଜ ବଜେଟର ଅଧାରୁ ଅଧିକ ରୋଜଗାର କରିଛି ଏବଂ ଏପରି ଆଶା କରାଯାଉଛି ଯେ ଫିଲ୍ମଟି ନିଜ ପ୍ରଥମ ୱିକେଣ୍ଡରେ ନିଜ ବଜେଟର ଅତି ନିକଟତର ହୋଇପାରେ ।