କନକ ବ୍ୟୁରୋ : ଯଦି ଇତିହାସରେ ବଡ଼ ଦୁର୍ଘଟଣାର କାହାଣୀ ଲେଖାଯିବ ତେବେ ଅହମଦାବାଦ ବିମାନ ଦୁର୍ଘଟଣାର ନାଁ ଆଗ ଆସିବ । କିଛି ମିନିଟରେ ସାରା ଦେଶକୁ କନ୍ଦାଇଥିବା ଏହି ବିମାନ ଦୁର୍ଘଟଣା ସମସ୍ତଙ୍କ ମନରେ ଗଭୀର କ୍ଷତ ଛାଡ଼ିଯାଇଛି କହିଲେ କିଛି ଭୁଲ ହେବନି । ୨୪୧ ଜଣ ଯାତ୍ରୀଙ୍କୁ ଧରି ଲଣ୍ଡନ ଯାଉଥିବା ବିମାନ ଟେକ୍ ଅଫ୍ କରିବା କ୍ଷଣି ହିଁ ଏକ ବିଲ୍ଡିଂରେ ପିଟି ହୋଇଥିଲା । ଦୁର୍ଘଟଣା ସମୟରେ ବିମାନରେ ବସିଥିବା ସବୁ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ । ବିଶାଳ ବିମାନ ଗୁଣ୍ଡ ଗୁଣ୍ଡ ହୋଇ ଚାରିଆଡ଼େ ବିଛେଇ ହୋଇ ପଡ଼ିଲା । ବିମାନରେ ବସିଥିବା ୨୪୧ ଜଣଙ୍କ ସମେତ ମୋଟ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଭଗବାନଙ୍କ କୃପାରୁ ସିଟ୍ ନମ୍ବର ‘୧୧ଏ’ ରେ ବସିଥିବା ଏକମାତ୍ର ଯାତ୍ରୀ ବିଶ୍ବାସ କୁମାର ରମେଶ କାଳରୂପୀ ବଡ଼ ଦୁର୍ଘଟଣାରୁ ଜୀବନ ବଞ୍ଚାଇ ଫେରିଥିଲେ । ରମେଶ ଯେତେବେଳେ କୁଢ଼ କୁଢ଼ ମୃତଦେହ ଭିତରୁ ଜୀବନ ଧରି ଫେରୁଥିଲେ ଛିଡ଼ା ହୋଇଥିବା ସ୍ଥାନୀୟ ଲୋକେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । କିଏ କିଏ କହୁଥିଲେ ଏତେ ବଡ଼ ଦୁର୍ଘଟଣାରେ ଲୁହା ତରଳିଗଲା କିନ୍ତୁ ଲୋକଟିକୁ ବୋଧହୁଏ ଭଗବାନ ହିଁ କାଳର ମୁହଁରୁ ଟାଣିଆଣିଲେ । 

Advertisment
BalGopal 11
BalGopal 11 Photograph: (kanakNews)

ଚମତ୍କାର , ଅଲୌକିକ , ଅବିଶ୍ବସନୀୟ ଶବ୍ଦଟି ସେତେବେଳେ ମୁଣ୍ଡ ଟେକିଲା ଯେତେବେଳେ ଖଣ୍ଡବିଖଣ୍ଡିତ ବିମାନ ଭିତରୁ ଶ୍ରୀମଦ୍ ଭଗବତ୍ ଗୀତାର ଏକ ପୁସ୍ତକ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା । ଗୀତା ପୁସ୍ତକକୁ ପାଇଥିବା ବ୍ୟକ୍ତି କହିଥିଲେ ଯେ ଭଗବାନ ବୋଧହୁଏ ମଣିଷ ସମାଜକୁ ଏ ସନ୍ଦେଶ ଦେଉଛନ୍ତି ଯେ ତାଙ୍କ ବାଣୀ ଆଡ଼କୁ ଫେରିଆସନ୍ତୁ ଏବଂ ପରସ୍ପର ପ୍ରତି ଦ୍ବେଷଭାବ ନ ରଖି କଲ୍ୟାଣ ଦିଗରେ କାର୍ଯ୍ୟ କରନ୍ତୁ । ତେବେ ଗୀତା ପୁସ୍ତକ ଭଳି ବର୍ତ୍ତମାନ ପୁଣି ଏକ ଖବର ସାମ୍ନାକୁ ଆସୁଛି । ଏତେ ବଡ଼ ଦୁର୍ଘଟଣା ଭିତରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ଆଣ୍ଠୁଆ ଗୋପାଳଙ୍କ ଏକ ପିତ୍ତଳ ମୂର୍ତ୍ତି । ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯେଉଁଠି ଆଣ୍ଠୁଆ ଗୋପାଳଙ୍କ ଏକ ମୂର୍ତ୍ତି ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ବିମାନରେ ବସିଥିବା ୨୭ ବର୍ଷୀୟା ଜୟଶ୍ରୀ ପଟେଲଙ୍କ ପାଖରେ ଶ୍ରୀମଦ୍ ଭଗବତ୍ ଗୀତା ଏବଂ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଥିଲା , ଯାହା ସୁରକ୍ଷିତ ଉଦ୍ଧାର କରାଯାଇଛି । ମୃତ ଜୟଶ୍ରୀଙ୍କ ବିବାହ ୩ ମାସ ପୂର୍ବରୁ ହିଁ ହୋଇଥିଲା ଏବଂ ସେ ଲଣ୍ଡନରେ ରହିବା ପାଇଁ ସ୍ବାମୀ ଆକାଶଙ୍କ ପାଖକୁ ଯାଉଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଅଧାରାସ୍ତାରେ ହିଁ ସେ ଦୁନିଆକୁ ଅଲବିଦା କହିଥିଲେ । 

ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଲୋକ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି । କିଏ ବିଧାତାଙ୍କ ଉପରେ କ୍ଷୋଭ ବ୍ୟକ୍ତ କରି କହୁଛନ୍ତି ଯେ ‘ଭଗବାନ ନିଜକୁ ବଞ୍ଚାଇଦେଲେ କିନ୍ତୁ ନିରୀହ ଲୋକଙ୍କୁ ବଞ୍ଚାଇ ପାରିଲେନି ।’ ଆଉ କେହି କେହି ଏହାକୁ ଆସ୍ଥାର ବିଜୟ ଏବଂ ମନୁଷ୍ୟ ଜୀବନର ସତ୍ୟ ବୋଲି କହୁଛନ୍ତି । ବର୍ତ୍ତମାନ ଯାତ୍ରା ପୂର୍ବରୁ ଯାତ୍ରୀ ବିମାନ ଭିତରେ ହନୁମାନ ଚାଳିସା ଏବଂ ମନ୍ତ୍ରପାଠ କରି ଯାତ୍ରା କରୁଥିବାର ମଧ୍ୟ ନଜର ଆସୁଛି ।