କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଲୋକ ସବୁବେଳେ କୁହନ୍ତି ଯେ ମାତା ମଚୈଲ ଦେବୀ ନିଜ ସନ୍ତାନଙ୍କ ଉପରେ ଏମିତି କୃପା ଦୃଷ୍ଟି ରଖନ୍ତି ଯେ କେହି ଚାହିଲେ ବି ତାଙ୍କର କିଛି କ୍ଷତି କରିପାରିବେ ନାହିଁ । ତେବେ ଏହି ଲୋକ ମାନ୍ୟତା ବର୍ତ୍ତମାନ ସତ ହୋଇଯାଇଛି । କିସ୍ତୱାଡରେ ବାଦଲ ଫାଟିବା ଓ ବନ୍ୟା ଯୋଗୁ ହୋଇଥିବା ବିନାଶ ମଧ୍ୟରେ ପ୍ରାୟ ୩୦ ଘଣ୍ଟା ପର୍ଯ୍ୟନ୍ତ ମାଟି ଅତଡ଼ା ତଳେ ଚାପି ହୋଇ ରହିବା ପରେ ମା’ଙ୍କ ଭୋଗ ବାଣ୍ଟୁଥିବା ବ୍ୟକ୍ତି ସୁଭାଷ ଚନ୍ଦ୍ରଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସୁଭାଷ ଦୀର୍ଘ ବର୍ଷ ଧରି ମାତା ମଚୈଲ ଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଲଙ୍ଗର ଭୋଗ ଯୋଗାଉଥିଲେ । ତାଙ୍କ ଲଙ୍ଗରରେ ପ୍ରତିବର୍ଷ ହଜାର ହଜାର ଯାତ୍ରୀ ଭୋଜନ କରିବା ସହ ବିଶ୍ରାମ ମଧ୍ୟ ନେଉଥିଲେ । ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ ଲୋକବାଣୀ ପରି ଏବେ ସୁଭାଷଙ୍କ ଜୀବନ ମଧ୍ୟ ମା’ ଆଦିଶକ୍ତି ବଞ୍ଚାଇ ଦେଇଛନ୍ତି କହିଲେ କିଛି ଭୁଲ୍ ହେବନି । ଗାଁରେ ରିଲିଫ୍ କାର୍ଯ୍ୟର ତଦାରଖ କରୁଥିବା ବିରୋଧୀ ଦଳର ନେତା ସୁନୀଲ ଶର୍ମା କହିଛନ୍ତି ଯେ ଯାହାକୁ ଭଗବାନ ବଞ୍ଚାନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ । ସୁଭାଷ ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁମାନଙ୍କର ନିଃସ୍ୱାର୍ଥପର ଭାବରେ ସେବା କରୁଛନ୍ତି, ଆଜି ମା’ ତାଙ୍କୁ ରକ୍ଷା କରିଛନ୍ତି । ତାଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ଦେଇଛନ୍ତି ।

Advertisment
kishtwar-cloudburst-2
kishtwar-cloudburst-2 Photograph: (google)

କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସୁଭାଷଙ୍କ ଉଦ୍ଧାର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଏତେ ବଡ଼ ବନ୍ୟାରେ ସୁଭାଷ ଜୀବନ୍ତ ବଞ୍ଚିଗଲେ ଓ ସେ ଲଙ୍ଗର କାମରେ ଥିବା ଲୋକଙ୍କ ମଧ୍ୟରେ ସାମିଲ ଥିଲେ । ୧୪ ଅଗଷ୍ଟରେ ଯେତେବେଳେ ବାଦଲ ଫାଟିବା ଯୋଗୁ ହଠାତ ବନ୍ୟା ଆସିଥିଲା ସେତେବେଳେ ଗାଁରେ ବହୁତ କ୍ଷତି ହୋଇଥିଲା । ସେହି ସମୟରେ ଅନୁମାନ କରାଯାଉଥିଲା କି ଲଙ୍ଗରରେ ୨୦୦ ରୁ ୩୦୦ ତୀର୍ଥଯାତ୍ରୀ ଉପସ୍ଥିତ ଥିଲେ ଓ ପ୍ରାୟ ୧୦୦୦ ରୁ ୧୫୦୦ ଲୋକ ସମଗ୍ର ଅଞ୍ଚଳରେ ଥିଲେ । ଉଦ୍ଧମପୁରର ସୁଭାଷ ବର୍ଷ ବର୍ଷ ଧରି ମାତା ମଚୈଲ ଯାତ୍ରାକୁ ଆସୁଥିବା ଭକ୍ତମାନଙ୍କର ସେବା କରିବାକୁ ହିଁ ନିଜର ଧର୍ମ ମାନି ଆସୁଛନ୍ତି । ପ୍ରତିବର୍ଷ ଯାତ୍ରା ସମୟରେ ସେ ନିଜ ସାଙ୍ଗମାନଙ୍କ ସହିତ ମିଶି ଦୁର୍ଗମ ପାହାଡ଼ିଆ ରାସ୍ତାରେ ଥକି ଯାଇଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଲଙ୍ଗର ଲଗାଉଥିଲେ । ଏଥର ମଧ୍ୟ ତାଙ୍କର ଲଙ୍ଗର ପ୍ରତିଦିନ ଶହ ଶହ ଯାତ୍ରୀଙ୍କୁ ଭୋଜନ ଯୋଗାଉଥିଲା କିନ୍ତୁ ଦ୍ୱିପ୍ରହରରେ ହଠାତ୍ ଆସିଥିବା ବନ୍ୟା ସବୁକିଛି ଭସାଇ ନେଇଗଲା । ଦେଖୁ ଦେଖୁ ଲଙ୍ଗର ପାଣି ଓ ମାଟି ଅତଡ଼ାରେ ଲୀନ ହୋଇଗଲା ଓ ଅନେକ ଶ୍ରଦ୍ଧାଳୁ କାଠ ଓ ମାଟି ଅତଡ଼ା ତଳେ ଚାପି ହୋଇଗଲେ ।

Machail_Mata
Machail_Mata Photograph: (google)

ଯେତେବେଳେ ସେନା, ପୁଲିସ, ଏନଡିଆରଏଫ, ଏସଡିଆରଏଫ ଓ ସ୍ଥାନୀୟ ଲୋକ ଲଙ୍ଗର ପାଖରେ ମାଟି ଅତଡ଼ା ହଟାଉଥିଲେ, ସେତେବେଳେ ସେମାନେ ସୁଭାଷଙ୍କୁ ଜୀବନ୍ତ ଅବସ୍ଥାରେ ପାଇଲେ । ତାଙ୍କ ପାଖରୁ ଚାରୋଟି ମୃତଦେହ ମଧ୍ୟ ବାହାର କରାଗଲା । ଜଣେ ସେନା ଅଧିକାରୀ କହିଥିଲେ କି ମାଟି ଅତଡ଼ାରୁ କେହି ଜୀବନ୍ତ ମିଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ । ଶନିବାର ଦିନ ରିଲିଫ୍ ଟିମ ଆଉ ଚାରିଜଣ ଲୋକଙ୍କୁ ଜୀବନ୍ତ ବାହାର କରିଥିଲେ । ଆହୁରି ଅଦ୍ଭୁଦକର କଥା ହେଉଛି କି ମାଟି ତଳେ ଏତେ ସମୟ ଦବିବା ପରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ନଥିଲା ବୋଲି ସାମାନ୍ୟ ଚିକିତ୍ସା କରି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଛନ୍ତି । ଏହାକୁ ଇଶ୍ବରଙ୍କ ଚମତ୍କାର କହିବା ସହ ଏତେ ବର୍ଷ ଧରି ତୀର୍ଥଯାତ୍ରୀଙ୍କ ସେବା କରୁଥିବାରୁ ତାଙ୍କ ଆଶିର୍ବାଦର ଫଳ ସ୍ବରୂପ ବଡ଼ ବିପଦରୁ ସୁଭାଷ ବଞ୍ଚିଗଲେ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । 

maa
maa Photograph: (google)