କନକ ବ୍ୟୁରୋ: ପିଶାଚ ପାଲଟି ଯାଇଛନ୍ତି ଦୁର୍ବୃତ୍ତ। ସବୁ ସୀମା ଟପି ୫ ବର୍ଷର ନାବାଳିକାକୁ କରିଛନ୍ତି ଦୁଷ୍କର୍ମ, ଆଉ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶିଶୁକନ୍ୟାର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ଗତ ଗୁରୁବାର ଦିନ, ସବୁଦିନ ଭଳି କୁନି ଝିଅଟି ଖେଳୁଥିବାବେଳେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ଶିଶୁର କୌଣସି ପତ୍ତା ପାଇନଥିଲେ । ଏ ନେଇ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ ପରିବାର । ପରେ ଶନିବାର ଦିନ ଘରଠାରୁ ମାତ୍ର ୨ଶହ ମିଟର ଦୂର ମହୁଲ ଗଛ ମୂଳରେ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ମୃତଦେହକୁ ଜବତ କରି ପୁଲିସ ଅଧିକ ତଦନ୍ତ ଚଳାଇଛି । କଟକରୁ ଏକ ଶିଶୁ ବିଶେଷଜ୍ଞ ଦଳ ଆସି ତଦନ୍ତ କରିବେ ବୋଲି ଜଣାପଡିଛି । ପରିବାର ଲୋକେ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି କରିଛନ୍ତି ।

ତେବେ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହେବାକୁ ଏହା ଭିତରେ ୪୮ ଘଣ୍ଟା ବିତିଥିଲେ ବି ହତ୍ୟାକାରୀକୁ ଧରିବାରେ ବିଫଳ ଅନୁଗୁଳ ପୋଲିସ । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।