କନକ ବ୍ୟୁରୋ : କ୍ରୀଡ଼ା ଜଗତରେ ପୁଣି ଲାଗିଲା  କଳଙ୍କର ଛିଟା । ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ ଏବଂ ଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଛି ।

Advertisment

ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୩ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ କୋଚ୍ ଓ ତାଙ୍କର ଜଣେ ସହଯୋଗୀ ମିଶି ନାବାଳିକା ଖେଳାଳି ଜଣଙ୍କୁ ରାସ୍ତାରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ପରେ ତାଙ୍କୁ ଏକ ଲଜ୍‌କୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ପକ୍ଷରୁ କୋଚଙ୍କ ସମେତ ମୋଟ୍‌ ତିନି ଜଣଙ୍କ ନାଁରେ ଯାଜପୁର ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ କୋଚ୍‌ଙ୍କୁ ହେପାଜତକୁ ନେଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ପୀଡ଼ିତ ଛାତ୍ରୀ ଜଣକ ଗତ ଦୁଇ ବର୍ଷ ଧରି ଯାଜପୁର ହକି ଷ୍ଟାଡିୟମରେ ଅଭିଯୁକ୍ତ କୋଚ୍‌ଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିଲେ । ଗୁରୁ ଭଳି ଜଣେ ସମ୍ମାନୀୟ ବ୍ୟକ୍ତିଙ୍କ ଏଭଳି କାଣ୍ଡ ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।