କନକ ବ୍ୟୁରୋ: ବଳଙ୍ଗାରେ ନାବାଳିକା ପୋଡ଼ିବା ଘଟଣାରେ ପୁଲିସ ହାତ ଏବେ ବି ଖାଲି । ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି କିନ୍ତୁ ଅଭିଯୁକ୍ତକୁ ଧରିପାରିନାହିଁ ପୁଲିସ । କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ବିଭାଗର ସ୍ପେଶାଲ ସ୍କ୍ବାଡ୍‌ ବଳଙ୍ଗା ଥାନା ଓ କ୍ରାଇମସ୍ପଟ୍‌କୁ ଯାଇ ତନାଘନା କରିଛନ୍ତି। ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନକୁ ରେକର୍ଡ କରିବାକୁ ଅନୁରୋଧ କରିପାରେ ପୁରୀ ପୁଲିସ ।

  • ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ  
  • ଚତୁର୍ଥ ଦିନରେ କ୍ରାଇମ୍‌ସ୍ପଟରେ ତନାଘନା
Advertisment

ବଳଙ୍ଗାରେ ନାବାଳିକାଙ୍କୁ ପୋଡ଼ିବା ଘଟଣାରେ ୪ ଦିନ ବିତିଲା କିନ୍ତୁ ଅଭିଯୁକ୍ତଙ୍କୁ ଧରିପାରିଲାନି ପୁଲିସ । ଏବେ ଘଟଣାସ୍ଥଳରେ ତଦନ୍ତକୁ ଜୋରଦାର କରିଛନ୍ତି ତଦନ୍ତକାରୀ ଏଜେନ୍ସି । କ୍ରାଇମବ୍ରାଞ୍ଚର ସହଯୋଗ ଲୋଡିଛି ପୁରୀ ପୁଲିସ ପ୍ରଶାସନ । ତେଣୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବଳଙ୍ଗା ଥାନାରେ ରହି ତଦନ୍ତ କରୁଛି । ଏହାଛଡା ଗୁଇନ୍ଦା ବିଭାଗର ସ୍ପେଶାଲ ସ୍କ୍ବାଡ୍‌ ବି ଅଛି । ଥାନା ଓ କ୍ରାଇମସ୍ପଟ୍‌କୁ ଯାଇ ତଦନ୍ତ କରୁଛନ୍ତି ତଦନ୍ତକାରୀ ଏଜେନ୍ସି ।

  • ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା ହେଲାଣି
  • ୨୦ରୁ ଅଧିକ ସନ୍ଦିଗ୍ଧ ଲୋକଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍‌ କରୁଛି ସାଇବର୍‌ ସେଲ୍

ତେବେ ଅଭିଯୁକ୍ତଙ୍କୁ ଏଯାଏ ଧରାଯାଇନଥିବାରୁ ପୀଡ଼ିତାଙ୍କ ମାଆ ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ଘଟଣାସ୍ଥଳରୁ ମିଳିଥିବା ରୁପାମୁଦି ତାଙ୍କ ଝିଅର ନୁହେଁ । 

  • ଘଟଣାସ୍ଥଳରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂଙ୍କ ଟିମ୍
  • ପୁଣି ପୀଡ଼ିତାଙ୍କ ରେକର୍ଡ ହେବ ବୟାନ ?

ସେପଟେ କଂଗ୍ରେସର ପ୍ରତିନିଧି ଦଳ ଆଜି ବଳଙ୍ଗା ଗସ୍ତ କରି ପୀଡ଼ିତାଙ୍କ ପରିବାରକୁ ଭେଟିଛି । ପରିବାର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି କଂଗ୍ରେସ ନେତା । ଏହାଛଡ଼ା ବଳଙ୍ଗା ଥାନାକୁ ଯାଇ ପୁଲିସ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଘଟଣାର ଦୋଷୀଙ୍କୁ ଧରାଯିବାକୁ ଦାବି କରିଛି କଂଗ୍ରେସ । ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ପୁଣି ବୟାନ ରେକର୍ଡ କରିବାକୁ ଦିଲ୍ଲୀ ଏମ୍‌ସକୁ ଅନୁରୋଧ କରିପାରେ ପୁରୀ ପୁଲିସ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।