କନକ ବ୍ୟୁରୋ: ଯେଉଁ କୁନିହାତ ଦିନେ ବାଲିରଥ ଗଢୁଥିଲା, ଆଜି ସେଇ ହାତ ନିହଣ ଧରିଛି । ମିଛି ମିଛିକା ରଥ ଗଢ଼ି ଖେଳରେ ମାତୁଥିବା କଅଁଳ ମନ ଏବେ ସତ ସତିକା ରଥଗଢ଼ାରେ ଲାଗିଛି । ରଥଖଳାରେ ଏବେ ଅନେକ କୁନି ରୂପକାର ସେବାୟତ ଗୁଣ୍ଡୁଚିମୂଷା ଭଳି କାମରେ ନିମଜ୍ଜିତ ଅଛନ୍ତି ।
କୁନି ରୂପକାର ସେବକମାନେ ରଥ ନିର୍ମାଣରେ ଲାଗିଛନ୍ତି । ବାପାଅଜା ଅମଳର ଏହି ସେବାକୁ ବଞ୍ଚାଇ ରଖିବା ପାଇଁ ରୂପକାର ସେବାୟତଙ୍କ ଘରର ପିଲାଙ୍କୁ ରଥଖଳାକୁ ଆଣି କାଠରେ ଖୋଦେଇ କାମ ଶିକ୍ଷା ଦିଆଯାଉଛି । ସେମାନେ ବାପାଙ୍କ ସହ ରଥଖଳାକୁ ଆସି କାମ ଶିଖୁଛନ୍ତି । କାମରେ ସିନା ପରିପକ୍ୱ ହୋଇନାହାନ୍ତି, କିନ୍ତୁ ନିଷ୍ଠା ଓ ମହାପ୍ରଭୁଙ୍କ ପ୍ରତି ଭକ୍ତି ଯୋଗୁ କାରିଗରୀ ଆପେଆପେ ଉତୁରି ଆସୁଛି । ଭଗବାନଙ୍କ ଆଶୀର୍ବାଦ ବିନା ଏହା ସମ୍ଭବ ନୁହେଁ ବୋଲି ବରିଷ୍ଠ ରୂପକାର କହନ୍ତି ।
ଚିତ୍ରଠୁ ନେଇ ଖୋଦେଇ ପର୍ଯ୍ୟନ୍ତ ସବୁକିଛି ଶିଖିବା ଲକ୍ଷ୍ୟରେ ଏମାନେ ରଥଖଳାକୁ ଆସିଛନ୍ତି । ନୂଆନୂଆ ନିହଣ ଧରିଥିଲେ ବି ସେମାନେ କୁହନ୍ତି, କାଳିଆର ରଥ ତିଆରି କରିବା ଭାଗ୍ୟରେ ଥିଲେ ମିଳେ । ଆମେ ଭାଗ୍ୟବାନ ଯେ, ରୂପକାର କୁଳରେ ଜନ୍ମ ହୋଇଛୁ । ଏହି ସେବା ଜନ୍ମ ଜନ୍ମାନ୍ତର ମିଳୁଥାଉ ବୋଲି ଆବେଗର ସହ କହିବା ବେଳେ ସେମାନଙ୍କ ମୁହଁରୁ ବାରି ହୋଇ ପଡୁଥାଏ ଅଫୁରନ୍ତ ଆନନ୍ଦ । ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ରୂପକାର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ବଞ୍ଚାଇ ରଖିବାକୁ କୁନି ରୂପକାରମାନେ ପ୍ରୟାସରତ ।