କନକ ବ୍ୟୁରୋ: ଜମି କିଣା ପ୍ରସଙ୍ଗରେ ଆଜି  ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ସିଧା ଟାର୍ଗେଟ କରିଛି କଂଗ୍ରେସ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନ ହେଲେ ତାଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରିଛି ଦଳ । ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ବି ଲୋଡିଛି ଦଳ । ଏ ବାବଦରେ ମନ୍ତ୍ରୀ ତ କିଛି କହୁନାହାନ୍ତି । କିନ୍ତୁ ରାଜ୍ୟ ବିଜେପି ସଭାପତି କହିଛନ୍ତି, ଉପଯୁକ୍ତ ଫୋରମରେ ଆଲୋଚନା ହେବ । 

Advertisment

ସତ୍ୟପାଠରେ ୭  ଲକ୍ଷ ୩୫ ହଜାର ୮୯୦ ଟଙ୍କା । କିନ୍ତୁ ଜମି କିଣିବାକୁ ଅଗ୍ରୀମ ୨୫ ଲକ୍ଷ ଟଙ୍କା ।  ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଏବେ ଖୋଦ ମନ୍ତ୍ରୀଙ୍କ ତଣ୍ଟିରେ କଣ୍ଟା ପାଲଟିଛି । ରାଜ୍ୟ ସରକାରଙ୍କୁ ଘେରିବା ଲାଗି ବିରୋଧୀଙ୍କୁ ଆଉ ଏକ ପ୍ରସଙ୍ଗ ମିଳିଯାଇଛି । ଯଦିଓ ବେଆଇନ ହୋଇଥିବାରୁ ଜମି ରେଜିଷ୍ଟ୍ରେସନ ହୋଇପାରିଲାନାହିଁ, କିନ୍ତୁ  କୃଷ୍ଣପାତ୍ର ସତ୍ୟପାଠ ଠାରୁ ଅଧିକ  ଟଙ୍କା  କୁଆଡୁ ଆଣିଲେ ସେ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।  ଦଳ ପ୍ରଶ୍ନ କରିଛି,  ଅଗ୍ରୀମ ଯଦି ୨୫ ଲକ୍ଷ, ତେବେ ଜମିର ମୂଲ୍ୟ କେତେ ଟଙ୍କା ହେବ ? ମନ୍ତ୍ରୀ ସତ୍ୟପାଠରେ କାହିଁକି  ଦର୍ଶାଇନଥିଲେ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନହେଲେ  ତାଙ୍କୁ ବରଖାସ୍ତ କରାଯାଉ ବୋଲି ଦଳ ଦାବି କରିଛି । ନିର୍ବାଚନ କମିସନ ବି କାହିଁକି ତଦନ୍ତ କରିନାହିଁ ? ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।

ଗୁରବାର କନକ ନ୍ୟୁଜରେ ଏହି ଖବର ପ୍ରସାରଣ ହୋଇଥିଲା । ଏ ନେଇ ମନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଏବେ ବିରୋଧୀ କଂଗ୍ରେସ ଏହାକୁ ପ୍ରସଙ୍ଗ କରିବା ପରେ ବିଜେପି ସଭାପତି ସ୍ପଷ୍ଟୀକରଣ ରଖିଛନ୍ତି ।  ମନମୋହନ ସାମଲ କହିଛନ୍ତି, ରାଜନୈତିକ ଜୀବନ ଲୋକଙ୍କ ଖୋଲା ବହି । ଚର୍ଚ୍ଚା ଆଲୋଚନା ହେବ । ଯେଉଁଠି ଭୁଲ ଥିବ, ଫୋରମ ଅଛି ସେଠାରେ ଆଲୋଚନା ହେବ । 

ସତ୍ୟପାଠରେ କୃଷ୍ଣ ପାତ୍ର ମିଛ କହିଛନ୍ତି କି ? ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି? ଜମି କିଣାବିକା ପ୍ରସଙ୍ଗରେ କିଛି ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ।