କନକ ବ୍ୟୁରୋ: କାମରେ ସ୍ୱଚ୍ଛତାକୁ ନେଇ ବଡ଼ ବଡ଼ ଭାଷଣ ମାରୁଛନ୍ତି ବିଭାଗୀୟ ମନ୍ତ୍ରୀ । ହେଲେ ରାସ୍ତା କାମରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି । ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ କେହି ଆସୁନାହାଁନ୍ତି । ଫଳରେ ବର୍ଷେ ନ ପୁରୁଣୁ ନଷ୍ଟ ହୋଇଯାଉଛି ରାସ୍ତା । 

Advertisment
  • ବରୀରେ ପୂର୍ତ୍ତ ବିଭାଗର ମନମାନି
  • ୨୧ କୋଟି ୪୨ ଲକ୍ଷର କାମ
  • ୬ ମାସ ହେଲା ଲାଗିନି ସୂଚନା ଫଳକ
  • ନିମ୍ନମାନର ନିର୍ମାଣ ଅଭିଯୋଗ ସତ୍ତ୍ୱେ ନିରବ ବିଭାଗ

ପୂର୍ତ୍ତ ବିଭାଗ ପକ୍ଷରୁ ଯାଜପୁର ବରୀର ମାଉଣ୍ଡ ଠାରୁ ଵିଦୃପା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଉଛି। ଏଥିପାଇଁ ୨୧ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ସରକାର। ହେଲେ ନିମ୍ନମାନର କାମ କରି ସରକାରୀ ଅର୍ଥ ଲୁଟୁଛନ୍ତି ଠିକାଦାର। ସରକାରୀ ନିୟମ ବି ମାନୁନାହାଁନ୍ତି। ନିର୍ମାଣ କାମ ଚାଲିଛି କିନ୍ତୁ କୌଣସି ସ୍ଥାନରେ ସୂଚନା ଫଳକ ଲଗାଇ ନାହିଁ ଠିକା ସଂସ୍ଥା ! ପୁରୁଣା ପିଚୁ ବାହାର କରି ମେଣ୍ଟାଲିଂ କରିବା ଲାଗି ନିଷ୍ପତ୍ତି ହୋଇଛି । ଏଠାରେ କିନ୍ତୁ ପୁରୁଣା ପିଚୁ ଖୋଳି ତା ଉପରେ ଡଷ୍ଟ ପକାଯାଉଥିବା ଅଭିଯୋଗ ହୋଇଛି।

ବରୀ ବ୍ଲକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା, ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଓ ବୌଦ୍ଧପୀଠ ରତ୍ନଗିରିକୁ ଯିବା ଲାଗି ଏହି ରାସ୍ତା ଭରସା। ରାସ୍ତାଟି ଅଣଓସାରିଆ ହୋଇଥିବାରୁ ଏହାର ମରାମତି ପାଇଁ ଚିନ୍ତା କରିଥିଲେ ପୂର୍ବ ସରକାର। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାର ମିଳିମିଶି ରାସ୍ତା ନିର୍ମାଣରେ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସରକାରୀ ନିମୟକୁ ମାନି ରାସ୍ତା କାମ କରିବାକୁ ଦାବି କରାଯାଇଛି ।