କନକ ବ୍ୟୁରୋ: ବାତ୍ୟା ପରେ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ମୁକାବିଲାରେ ଘଟଣାସ୍ଥଳରେ ଗାଁର ଆଶାଦିଦିଙ୍କ ଠାରୁ ଆରମ୍ଭ କରି ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମଙ୍କ ସହ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅବଦାନକୁ ବଖାଣିଲେ ମନ୍ତ୍ରୀ । କହିଲେ, ଏମାନେ ବାତ୍ୟାର ବାସ୍ତବ ଯୋଦ୍ଧା । ଏହି କ୍ରମରେ ରାଜନଗରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସାହସିକତା କଥା କହିଛନ୍ତି ସୁରେଶ ପୂଜାରୀ । ଯେଉଁଭଳି ଭାବରେ ବର୍ଷା ପବନ ଭିତରେ ନିଜ ଜୀବନକୁ ବାଜି ଲଗାଇ ସେ ୭ ଜଣଙ୍କୁ  ରିଲିଫ୍ ସେଣ୍ଟରକୁ ନିଜ କାନ୍ଧରେ ବୋହିନେଲେ ତାହା ବାସ୍ତବିକ ପ୍ରଶଂସନୀୟ । ତାଙ୍କର ଏଭଳି କାର୍ଯ୍ୟ ପ୍ରକୃତରେ ଏକତା ଭାବନା ତଥା ଓଡିଆ ଅସ୍ମିତାର ପରିଚୟ ଦେଇଛି । 

Advertisment

ଏହାସହ ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ । କହିଥିଲେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ନ ପ୍ରସବା ମହିଳାଙ୍କୁ ଯେଉଁଭଳି ଭାବେ ପିଏସସି ଓ ସିଏସସିକୁ ସ୍ଥାନାନ୍ତର କରାଗଲା, ଏବଂ ସେମାନଙ୍କୁ ଚିକିତ୍ସା କରାଗଲା, ତାହା ବି ପ୍ରଶଂସନୀୟ । ବାତ୍ୟା ଭଳି ସମୟରେ ପାଖାପାଖି ୧୬ ଶହ ଶିଶୁ ସୁସ୍ଥଭାବେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ୧୩ଜଣ ଯାଆଁଳା ଶିଶୁ ଜନ୍ମଗ୍ରହଣ କରିଛନ୍ତି । 

ତେବେ ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ କିଭଳି ରାସ୍ତାଘାଟ ପରିଷ୍କାର ହେବ, ପୁଣିଥରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ସେଥିପାଇଁ ଜୋରସୋରରେ ଲାଗିପଡିଛନ୍ତି ଏନଡିଆରଏଫ୍ ଟିମ୍ । ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ପ୍ରଭାବିତ ଅଞ୍ଚଳ ଆଲୋକିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।