କନକ ବ୍ୟୁରୋ: ଓଏଏସମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ୍ କରିଛନ୍ତି ରାଜସ୍ବ ମନ୍ତ୍ରୀ । ରାଜ୍ୟବ୍ୟାପୀ ଓଏଏସ୍ ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ଅଫିସ୍ କାର୍ଯ୍ୟ ଅଚଳ ହୋଇପଡିଥିବା ବେଳେ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି, ଦଳରୁ ବି ନିଲମ୍ବିତ ହୋଇଛନ୍ତି । ଯଦି ପ୍ରଚ୍ଛଦପଟରେ କିଏ ଥିବ, ତାକୁ ମଧ୍ୟ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏଥିସହ ଧର୍ମଘଟକୁ ନେଇ ସୁପ୍ରିମକୋର୍ଟର ମଧ୍ୟ କଟକଣା ରହିଛି କହି ମନ୍ତ୍ରୀ ଓଏଏସ୍ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।
ବିଏମ୍ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ପରେ ସମୂହ ଛୁଟିରେ ଓଏଏସ୍ ଅଧିକାରୀ । ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ମରାଯିବା ଘଟଣାକୁ ନିନ୍ଦା କରାଯାଇଛି । କାର୍ପଟଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଓଏଏସ୍ ସଂଘ । ଯାହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଅଫିସ୍ରେ ନାହାନ୍ତି ଅଫିସର । ସବୁ ଅଫିସ୍ ଏବେ ଖାଁ ଖାଁ । ଦୁଇ ଦିନ ହେବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଏଭଳି ସ୍ଥିତି । ଅଫିସ୍ ଆଗରେ ବିଭିନ୍ନ କାମ ପାଇଁ ଲୋକଙ୍କ ଗହଳି ଲାଗୁଛି । ମାତ୍ର ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଫଳରେ ସମସ୍ୟା ନେଇ ଆସୁଥିବା ଲୋକ ନିରାଶ ହେଉଛନ୍ତି । ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉଛି ସେପର୍ଯନ୍ତ ଓଏଏସ୍ ଅଧିକାରୀଙ୍କ ସମୂହ ଛୁଟି ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି । ଏଭଳି ସ୍ଥଳେ ସରକାରଙ୍କ କଣ ପଦକ୍ଷେପ ରହୁଛି, ତାହା ଦେଖିବାକୁ ବାକି ରହିଲା ।