କନକ ବ୍ୟୁରୋ : ‘‘ସମସ୍ତ ଜଗତକୁ ରକ୍ଷା କରିବା ପାଇଁ ‘ସମ୍ବାଦ’ ପରିବାର ଯେଉଁଭଳି ‘ପୁନଶ୍ଚ ପୃଥିବୀ’ ନାମରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ; ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ । ଏଥିପାଇଁ ସମ୍ବାଦ ପରିବାର ଅଭିନନ୍ଦନୀୟ’’ ବୋଲି ସମ୍ବାଦ ଗ୍ରୁପ୍‌ର ୩ ଦିନିଆ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‌ଯୋଗ ଦେଇ ଆଇନ୍‌, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । 

Advertisment

ସେ ଆହୁରି ବି କହିଛନ୍ତି ଯେ ‘‘ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭିନ୍ନ ଭିନ୍ନ ବର୍ଗର ଲୋକେ ସଚେତନ ହେଲେ ପରିବେଶ ସୁରକ୍ଷା ସମ୍ଭବ ହୋଇପାରେ । ବିକାଶର ବଡ଼ ଆବଶ୍ୟକତା ହେଉଛି ଗମନାଗମନ । ଏଥିଲାଗି ରାସ୍ତା ତିଆରି ବେଳେ ପରିବେଶଜନୀତ ସମସ୍ୟା ସୃଷ୍ଟି ହୋଇଥାଏ । ରାସ୍ତା ତିଆରି କରିବା ବେଳେ ଗଛ କାଟିବାକୁ ପଡ଼େ । ଏହା ପରିବେଶକୁ ନଷ୍ଟ କରିଥାଏ । କିନ୍ତୁ ବିକାଶ ଓ ପରିବେଶକୁ କ୍ଷତି ନକରି ବା ସର୍ବନିମ୍ନ କ୍ଷତି କରି ଏ ଦିଗରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଶୈଳୀ ଭିତ‌ରେ ଉଭୟ ପ୍ରକ୍ରିୟାକୁ ଆଗେଇ ନେବାକୁ ପଡ଼ିବ । ଏଥିପାଇଁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ । ଗତ ୨୦୨୪ ବିଧାନସଭା ନିର୍ବାଚନରେ ପରି‌ବେଶ ସୁରକ୍ଷାକୁ ବିଜେପି ନିଜର ଘୋଷଣାପତ୍ରରେ ସ୍ଥାନିତ କରିଥିଲା । ଏହାର ଦାୟିତ୍ବ ‌ମୋ ଉପରେ ନ୍ୟସ୍ତ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରିବେଶଜନୀତ ଭିନ୍ନ ଭିନ୍ନ ବିନ୍ଦୁ ଉପରେ ପ୍ରସ୍ତୁତ ଡ୍ରାଫ୍ଟକୁ ମଧ୍ୟ ପ୍ରଦାନ କରଯାଇଥିଲା । ଯାହା ଦେଖି ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରିଥିଲେ କି ପରିବେଶକୁ ମଧ୍ୟ ଘୋଷଣାପତ୍ରରେ ସ୍ଥାନ ଦିଆଯାଇପାରୁଛି ।’’

ଯେଉଁ ଅଞ୍ଚଳରେ ନୂଆ ରାସ୍ତା ତିଆରି ହେଉଛି ଓ ସେଥିପାଇଁ ଗଛ କାଟିବାକୁ ପଡୁଛି ; ସେଠାରେ ବୃକ୍ଷରୋପଣ କରାଯାଇ ତାହାର ସଂରକ୍ଷଣ ଦିଗରେ ଆମ ସରକାର ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟା ସଫଳ‌ ହେବ ବୋଲି ମୁଁ ଆଶାବାଦୀ । ଏଥିପାଇଁ ସରକାର ଆର୍ଥିକ ସହଯୋଗ କରିବାକୁ ମଧ୍ୟ ଯୋଜନା କରିଛନ୍ତି । ରାଜ୍ୟ, ରାଜପଥର ସଂପ୍ରସାରଣ ସମୟରେ ଏହାର ପାର୍ଶ୍ବରେ ବୃକ୍ଷରୋପଣକୁ ସରକାର ବାଧ୍ୟତାମୂଳକ କରିଛନ୍ତି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।