କନକ ବ୍ୟୁରୋ: ଆମେରିକା ସହ ବାଣିଜ୍ୟ ରାଜିନାମା ସମ୍ପର୍କରେ ଆଲୋଚନା କରିବା ପାଇଁ ଆସନ୍ତାକାଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆମେରିକା ଗସ୍ତ କରିବେ । ତାଙ୍କ ସହ ଏକ ପ୍ରତିନିଧି ଦଳ ବି ଯିବ । ପ୍ରତିନିଧି ଦଳ ଆମେରିକା ପ୍ରତିନିଧିମାନଙ୍କ ସହ ଆଲୋଚନାକୁ ଆଗକୁ ବଢ଼ାଇବା ଲାଗି କଥାବାର୍ତ୍ତା କରିବେ । ଗୋୟଲ ନ୍ୟୁୟର୍କ ଯିବେ ଓ ତାଙ୍କ ସହ ଭାରତ ତରଫରୁ ମୁଲଚାଲ କରୁଥିବା ମୁଖ୍ୟ ବ୍ୟକ୍ତି ବାଣିଜ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ ରହିବେ ।

Advertisment

ଚଳିତ ମାସ ୧୬ରେ ଆମେରିକାର ଏକ ପ୍ରତିନିଧି ଦଳ ଭାରତ ଆସି କଥାବାର୍ତ୍ତା କରିଥିଲେ । ସେହି ଧାରାକୁ ଆଗକୁ ବଢ଼ାଇବା ଲାଗି ଗୋୟଲ ଆମେରିକା ଯାଉଛନ୍ତି । ଭାରତ ଉପରେ ଆମେରିକା ଦୁଇଟି ପର୍ଯ୍ୟାୟ‌ରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି । ଏଥି ସହିତ ନିକଟରେ ଏଚ୍‌-୧ବି ଭିସା ଆବେଦନ ଫି’କୁ ହଠାତ୍‌ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଦୁଇ ନିଷ୍ପତ୍ତି ଭାରତକୁ ଗୁରୁତର ପ୍ରଭାବିତ କରିଛି । 

ତେଣୁ ଆଲୋଚନା ଜରିଆରେ ଚାପ କୋହଳ କରିବାକୁ ଭାରତୀୟ ପ୍ରତିନିଧିମାନେ ଉଦ୍ୟମ କରିବେ । ଚଳିତ ବର୍ଷ ଫେବ୍ରୁଆରିରେ ଦୁଇ ଦେଶ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା କରିବା ଲାଗି ଆଲୋଚନା କରିବାକୁ ସହମତ ହୋଇଥିଲେ । ସେହି ଆଲୋଚନାକୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଗତ ଏପ୍ରିଲ୍ ୨ରେ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇଥିଲେ । ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗିଥିଲା । 

ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍‌ଠାରୁ ତେଲ କିଣୁଥିବାରୁ ଭାରତ ଉପରେ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ । ଫଳରେ ଗତ ଅଗଷ୍ଟ ୨୭ଠାରୁ ଭାରତ ଉପରେ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ହୋଇଥିବା ଆଲୋଚନା‌ ସମୟ‌ରେ ଭାରତର କୃଷିଜାତ ଓ ଦୁଗ୍ଧଜାତ ବଜାରରେ ପ୍ରବେଶ କରିବାକୁ ଆମେରିକା ଜିଦ୍‌ ଧରିଥିଲା । ଭାରତ କିନ୍ତୁ ସେଥିରେ ରାଜି ହୋଇନଥିଲା। ତେଣୁ ଅଧା ବାଟରେ ଆଲୋଚନା ଅଟକିଯାଇଥିଲା ।