କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାରେ ଭତ୍ତା ପାଇଁ ୮୦ ବର୍ଷୀୟ ବୃଦ୍ଧଙ୍କ ଘୁଷୁଡ଼ିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କହିଲେ, ଘଟଣାକୁ ଗୁରୁତ୍ୱର ସହ ନେଇଛି ବିଭାଗ । ଆଗାମୀଦିନରେ ଭିନ୍ନକ୍ଷମଙ୍କୁ ହାତପାହାନ୍ତାରେ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ସେହିପରି କେନ୍ଦ୍ରାପଡ଼ା ଘଟଣାର ତର୍ଜମା କରିବା ସହିତ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Advertisment

ଭତ୍ତା ପାଇଁ ଘୁଷୁଡ଼ି ଘୁଷୁଡ଼ି ଯାଉଥିବା ବୃଦ୍ଧଙ୍କ ଖବର କନକ ନ୍ୟୁଜ୍‌ରେ ପ୍ରସାରିତ ହେବା ପରେ ଏହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବୃଦ୍ଧଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବୃଦ୍ଧଙ୍କୁ ହୁଇଲ୍‌ ଚେୟାର୍‌ ଦେଇଛି ପ୍ରଶାସନ । ପକ୍କା ଘର ଓ ବିଜୁଳି ଯୋଗାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।

କେନ୍ଦ୍ରାପଡ଼ା ବ୍ଲକ୍‌ କୋର ଗାଁର ୮୦ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁ ଭତ୍ତା ପାଇଁ ଅଧ କିଲୋମିଟର‌୍‌ ରାସ୍ତା ଘୁଷୁଡ଼ି ଘୁଷୁଡ଼ି ଯିବା ଘଟଣାକୁ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏଥିରେ ହସ୍ତକ୍ଷେପ କରିଥିଲେ । ଜଷ୍ଟିସ୍‌ ସାହୁ ଏ ସଂପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଜିଲ୍ଲାଜଜ୍, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ସହିତ ଆଲୋଚନା କରିଥିଲେ ।