କନନ ବ୍ୟୁରୋ: ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି । ଦେଶ କଠିନ ଆର୍ଥିକ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ମନମୋହନ ସିଂହଙ୍କୁ ଦିଅଯାଇଥିଲା ଅର୍ଥ ମନ୍ତ୍ରୀର ଗୁରୁ ଦାୟିତ୍ୱ । ନିଜ ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଦେଶର ଅର୍ଥନୀତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ନିଜ ରାଜନୈତିକ ଯାତ୍ରା ମଧ୍ୟରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ବି ଆସୀନ ହୋଇଥିଲେ ।
ତେବେ ମନମୋହନ ସିଂହଙ୍କୁ ଦେଶର ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ବୋଲି କୁହାଯାଇଥାଏ । ଏହାର ଉତ୍ତରରେ ମନମୋହନ କହିଥିଲେ, ମୁଁ କେବଳ ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ନୁହେଁ, ମୁଁ ଦେଶର ଆକ୍ସିଟେଣ୍ଟାଲ ଅର୍ଥ ମନ୍ତ୍ରୀ ମଧ୍ୟ। ୨୦୧୯ ମସିହାରେ ନାମକ ପୁସ୍ତକର ଉନ୍ମୋଚନ ଅବସରରେ ଏପରି ମତବ୍ୟକ୍ତ କରିଥିଲେ ମନମୋହନ । ଏ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ, ନରସିଂହା ରାଓଙ୍କ ସରକାର ସମୟରେ ନରସିଂହ ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ । ଏହାର ଉତ୍ତରରେ ସେ ଅଫିସରେ ଥିବା କଥା କହିଥିଲେ । ଆଉ ସେ ତାଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ କହିଥିଲେ । ଏହାକୁ ସେ ହାଲକା ଭାବେ ନେଇଥିଲେ। କିନ୍ତୁ ଏହାପରେ ଅର୍ଥମନ୍ତ୍ରୀ ଦାୟୀତ୍ବ ମିଳିଥିଲା । ତେଣୁ ତାଙ୍କୁ ଦେଶର ଆକ୍ସିଡେଣ୍ଟାଲି ଅର୍ଥମନ୍ତ୍ରୀ କୁହଯାଏ ବୋଲି ସେ କହିଛନ୍ତି ।