କନକ ବ୍ୟୁରୋ :   ସରକାର କହୁଛନ୍ତି ସାର ଅଛି, ଚାଷୀଙ୍କ ହାତ ଖାଲି। ସାର ପାଇଁ ରାତି ଅନିଦ୍ରା । ହେଲେ ସରୁନି ସାର ସମସ୍ୟା । ସୋସାଇଟି ସମ୍ମୁଖରେ ହୋହଲ୍ଲା। ରାଜ୍ୟରେ ପ୍ରତିଦିନ ସାର ସଙ୍କଟ ଚିତ୍ର ସାମ୍ନାକୁ ଆସୁଛି । ଆଧାର କାର୍ଡ ରଖି ଲମ୍ବା ଲାଇନ ଲଗାଉଛନ୍ତି ଚାଷୀ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ନରେନ୍ଦ୍ର ପଂଚାୟତରୁ ଆସିଛି ଏଭଳି ଦୃଶ୍ୟ । ୨୦୦ ବସ୍ତା ସାର ଆସିଥିବା ବେଳେ ତା’ ଠାରୁ ଅଧିକ ଲୋକ ଅପେକ୍ଷା କରିଛନ୍ତି । କିଏ ବ୍ୟାଗ୍‌ ତ ପୁଣି କିଏ ଆଧାର କାର୍ଡ ରଖି ଲମ୍ବା ଲାଇନ ଲଗାଇଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ମାଣିକ୍ୟପୁର ସୋସାଇଟି ସାମ୍ନାରେ ଚାଷୀଙ୍କ ହୋହଲ୍ଲା । ତିନୋଟି ପଞ୍ଚାୟତର ପ୍ରାୟ ୬ଶହରୁ  ଅଧିକ ଚାଷୀ ସକାଳୁ ଛିଡା ହୋଇଥିଲେ। ହେଲେ ଚାଷୀ ସଂଖ୍ୟା ତୁଳନାରେ ସାର କମ ଥିବାରୁ ସୋସାଇଟିରେ ତାଲା ପକାଇ   ପଳାଇଥିଲେ ଅଧିକାରୀ। ଶେଷରେ ଚାଷୀ ସୋସାଇଟି ଆଗରେ ଆଧାର କାର୍ଡ ରଖି ଅପେକ୍ଷା କରିଛନ୍ତି । ଆଉ କିଛି ଚାଷୀ ନିରାଶ ହୋଇ ଫେରିଛନ୍ତି । ସେପଟେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ୟୁରିଆ ସାରର ଅଭାବ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସାର ପାଇଁ ଚାଷୀ ରାତି ଦିନ କୃଷି ସମବାୟ ସମିତିକୁ ଦୌଡ଼ି ଲାଇନ ଲଗାଉଥିଲେ ମଧ୍ୟ ସାର ନପାଇ ଖାଲି ହାତରେ ଫେରୁଛନ୍ତି। ଏପଟେ ଗୋଦାମ ଘରେ ସାର ଥିଲେ ମଧ୍ୟ ଚାଷୀ ନେତାଙ୍କ ବିରୋଧ ଯୋଗଁ ସାର ବଣ୍ଟନ ହୋଇ ପାରୁନାହିଁ । ବଲାଙ୍ଗିର ଜିଲ୍ଲା ବନ୍ଧାପଡ଼ା କୃଷି ସମବାୟ ସମିତିରେ ଚାଷୀ ସାର ନପାଇ ୪ ଦିନ ହେଲା ନିରାଶ ହୋଇ ଫେରୁଛନ୍ତି ।  ବନ୍ଧାପଡ଼ା ପେକ୍ସରେ ଦେଶଣ୍, ବ୍ରାହ୍ମଣୀ ଜୋର, ସିଂହାମୁଣ୍ଡା, ବନ୍ଧ ପଡ଼ା ପଞ୍ଚାୟତର ୮୭୩ ଜଣ ଚାଷୀ ରୁଣ ନେଇଥିବା ବେଳେ ୬୬୪ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି । ତେବେ ଏହି କୃଷି ସମବାୟ ସମିତିକୁ  ୩୨୦  ବସ୍ତା ୟୁରିଆ ସାର ଆସିଛି । ଅଧା ବଣ୍ଟନ ହୋଇଥିବା ବେଳେ ଅଧା ଗୋଦାମରେ ପଡିଛି ।ଏସବୁ ଭିତରେ କୃଷିମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ କହିଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ, ହେଲେ ଗତବର୍ଷ ତୁଳନାରେ ଡିମାଣ୍ଡ ବଢିଥିବାରୁ ଟିକେ ସମସ୍ୟା ଦେଖାଦେଉଛି । 

Advertisment

ଏସବୁ ଭିତରେ  ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ  ଦେଖିବାକୁ ମିଳିଛି। କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା।  କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ   ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ସଙ୍କଟର ସମୀକ୍ଷା କରିଛନ୍ତି ।