କନକ ବ୍ୟୁରୋ: ସୁନ୍ଦରଗଡ଼ ଖଣି ଚୋରିର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ଟିମ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏସଆଇଟି ଛାନଭିନ ଚଳାଇଛି । ଏସଆଇଟି ମୁଖ୍ୟ ସଞ୍ଜୟ କୁମାର କୌଶଲଙ୍କ ନେତୃତ୍ୱରେ ଆଜି ଠାରୁ ତଦନ୍ତ ଆରମ୍ଭ କରିଛି ଟିମ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଜିରୋ ନୁହଁ ବରଂ ଦସ୍ତାବିଜରୁ ଘାଣ୍ଟିବା ଆରମ୍ଭ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲାପାଳ ଖଣି ଚୋରି ଘଟଣା ନେଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟ, ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସ ଟିମ୍‌ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ଦେଇଥିବା ରିପୋର୍ଟ, ସୁନ୍ଦରଗଡ଼ ଏସ୍‌ପିଙ୍କ ରିପୋର୍ଟ, ବନବିଭାଗର ରିପୋର୍ଟ ଏବଂ ଖଣି ଚୋରି ଜଙ୍ଗଲ ଜମିଗୁଡ଼ିକ କେଉଁକେଉଁ କମ୍ପାନୀଙ୍କୁ ଆଲର୍ଟ କରାଯାଇଥିଲା ତାହାର ଦସ୍ତାବିଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ ।

Advertisment

ଆଜିଠାରୁ କଟକ ଅଫିସରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସରିଲା ପରେ ଗ୍ରାଉଣ୍ଡ ଜିରୋରେ ଘାଣ୍ଟିବ ଏସଆଇଟି । ଆହୁରି ୬ରୁ ୭ ଦିନ ଭିତରେ ୮ ଜଣିଆ ଏସ୍‌ଆଇଟି ସୁନ୍ଦରଗଡ଼ ଯାଇ ସରଜମିନ ତଦନ୍ତ କରିବେ ବୋଲି ଜଣାପଡ଼ିଛି । ସମସ୍ତ ରିପୋର୍ଟକୁ ଟିମ୍‌ର ୮ ଜଣ ସଦସ୍ୟ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ଦୀର୍ଘ ୨୦ ବର୍ଷ ହେଲା ଚାଲିଆସୁଥିଲା ଖଣି ଚୋରି ଏଥିରେ କେଉଁ କେଉଁ ସରକାରୀ ଅଧିକାରୀ, ନେତା ଓ ମାଫିଆ ସାମିଲ ଅଛନ୍ତି ତାର ଚିଠା ମଧ୍ୟ ପ୍ରସ୍ତୁତ କରୁଛି ଭିଜିଲାନ୍ସ ।