କନକ ବ୍ୟୁରୋ : ମଣିଷର ସ୍ୱାର୍ଥ ପାଇଁ ମୃତ୍ୟୁ ମୁଖରେ ପଡ଼ିଛି ଜଙ୍ଗଲୀ ଜନ୍ତୁଙ୍କ ଜୀବନ। ଖୋଳା ଯାଉଛି ଖଣିଖାଦାନ । ଗଢ଼ି ଉଠୁଛି କଂକ୍ରିଟ୍ ସହର । ଆଉ ସଫା ହୋଇଯାଉଛି ଜଙ୍ଗଲ । କମ୍ପାନୀ ହାତକୁ ଖଣି ଟେକି ଦେଇ ମୋଟା ଅଙ୍କର ରାଜସ୍ୱ ପାଉଛନ୍ତି ସରକାର । ହେଲେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ କଥା ଥରେ କେହି ଭାବୁ ନାହାନ୍ତି । ଯଦି ଭାବୁଥାନ୍ତେ ତେବେ ହାତୀ, ଭାଲୁ, ହରିଣ, କୁଟୁରା, ସମ୍ବର, ବାରହା, ମାଙ୍କଡ଼, ସାପ, ଚଢେଇ ସବୁ ବାସହରା ହୋଇନଥାନ୍ତେ । ଜଙ୍ଗଲୀ ଜନ୍ତୁ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇନଥାନ୍ତେ । ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରାବଲ୍ୟ ଅଞ୍ଚଳ କୋଇଡ଼ାରୁ ଆସିଥିବା ଏ ଖବର ଖୁବ୍ ଚିନ୍ତାଜନକ ।

Advertisment

କୋଇଡ଼ା ଅଞ୍ଚଳରେ ଥିବା ଅଧିକାଂଶ ଜଙ୍ଗଲରେ ଖଣି ଖୋଳା ଚାଲିଛି। ବଡ଼ବଡ଼ କର୍ପୋରେଟ୍ କମ୍ପାନୀ ହାତକୁ ଖଣି ଚାଲିଯିବା ପରେ ଗଛ କାଟି ପଦା କରି ଦିଆଯାଉଛି । ପ୍ରାୟ ସବୁ ସଂରକ୍ଷିତ ଜଙ୍ଗଲ ଏବେ ପଡ଼ିଆ ପାଲଟିଯାଇଛି । ଖରାଦିନେ ନିଆଁ ଲଗାଇ ଦିଆଯାଉଛି । ଯାହା ଯେତିକି ଜଙ୍ଗଲ ଅଛି, ସେଠି ଶିକାରୀଙ୍କ ପାଦୁର୍ଭାବ ବଢି ଯାଇଛି । କେବେ ଦାନ୍ତ ପାଇଁ ହାତୀ ଶିକାର ତ ଆଉ କେବେ ଚମଡ଼ା ଲୋଭ ଜଙ୍ଗଲୀ ଜନ୍ତୁଙ୍କ ପାଇଁ କାଳ ହେଉଛି। କେବଳ ଏତିକି ନୁହେଁ, କୋଇଡ଼ା ଅଂଚଳରେ ଥିବା ନଦୀ, ଝରଣା ସବୁ ଦୂଷିତ ହୋଇଯାଇଛି। ଜଙ୍ଗଲରେ ଥିବା ସମସ୍ତ ଜଳ ଉତ୍ସ ନଷ୍ଟ ହୋଇଗଲାଣି। ଆବଶ୍ୟକୀୟ ଖାଦ୍ୟ ମିଳୁନି କି ପିଇବା ପାଣି। ତେଣୁ ପାଣି ଖୋଜିଖୋଜି ଜଙ୍ଗଲ ବାହାକୁ ଆସି ଅସୁବିଧାରେ ପଡୁଛନ୍ତି ବନ୍ୟପ୍ରାଣୀ।