କନକ ବ୍ୟୁରୋ: ବେଆଇନ୍ ମାଟି ଉଠାଣକୁ ନେଇ ୮କୋଟିର ଫାଇନ୍ ଲଗାଇବ ଖଣି ବିଭାଗ । ଝାରସୁଗୁଡ଼ା ଜିଲ୍ଲାରେ ଚାଲିଥିବା ମାଟି ଦୁର୍ନୀତି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଗତକାଲି ଜିଲ୍ଲା ଖଣି ବିଭାଗ ପ୍ରଥମ ପର୍ଯ୍ୟାୟରେ ୧୨ଟି ସ୍ଥାନର ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଉପ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲା । ଏଥିରେ  ରେଳବାଇ ଠିକା କମ୍ପାନି RSA ଇନ୍‌ଫ୍ରା ଓ ବାଲାଜି ଇଞ୍ଜିକନ୍ ମିଳିତ ଭାବେ ବେଆଇନ୍ ମାଟି ଉଠାଇଥିବା ସ୍ପଷ୍ଟ ହୋଇଥିଲା । ପ୍ରଥମ ପର୍ଯ୍ୟାୟର ଆକଳନରେ ଉଭୟ କମ୍ପାନି ବେହେରାପାଲି-କୁକୁରଜଙ୍ଘା ଗାଁରୁ ମୋଟ ୨ ଲକ୍ଷ ୮ ହଜାର କ୍ୟୁବିକ ମିଟର ମାଟି ଉଠାଇଥିବା ନେଇ ଜିଲ୍ଲା ଖଣି ବିଭାଗ ଆକଳନ କରିଛି । ବେଲପାହାଡ଼ର ବାଲାଜି ଇଞ୍ଜିକନ୍ କମ୍ପାନି କୁକୁରଜଙ୍ଗା ଗ୍ରାମରୁ ୧୬ ହଜାର କ୍ୟୁବିଜ୍ ମିଟର ମାଟି ଉଠାଇବା ପାଇଁ ଅନୁମତି ନେଇଥିବା ବେଳେ ସେ ୧୬୮୦୦ ସିୟୁଏମ୍ ମାଟି ଅତିରିକ୍ତ ଉଠାଣ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ଏ କମ୍ପାନି ବିନା କୌଣସି ଅନୁମତିରେ ୧ ଲକ୍ଷ ୬୮ ହଜାର କ୍ୟୁବିକ୍‌ ମିଟର ମାଟି ଉଠାଣ କରିଥିବା ନେଇ ଜିଲ୍ଲା ଖଣି ବିଭାଗ ଆକଳନ କରିଛି । ଏହାକୁ ନେଇ ଉଭୟ କମ୍ପାନିଙ୍କୁ ପ୍ରାୟ ୮ କୋଟି ଟଙ୍କାର ଫାଇନ୍ ଲଗାଯାଇପାରେ ବୋଲି ସୂଚନା ମିଳିଛି ।