କନକ ବ୍ୟୁରୋ: ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଓ ହଜାର ହଜାର ଟନ୍ କୋଇଲା ଚୋରାଚାଲାଣ ଖବର ପରେ ସାରା ରାଜ୍ୟରେ ହଇଚଇ ଖେଳିଯାଇଛି । କନକ ନ୍ୟୁଜ୍ ପକ୍ଷରୁ ପ୍ରଥମେ ଅନୁସନ୍ଧାନ ଆରମ୍ଭ କରାଯିବା ପରେ ଏହା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ତଦନ୍ତକୁ ତ୍ବରାନ୍ୱିତ କରିଛନ୍ତି ରାଜ୍ୟ ସରକାର । ବଡ ଦୁର୍ନୀତି ପଦାକୁ ଆସିବା ପରେ ଶୁକ୍ରବାର ସୁନ୍ଦରଗଡ଼ ଗସ୍ତରେ ଯାଉଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ବିଭାଗୀୟ ସଚିବ ମଧ୍ୟ ସାଥୀରେ ରହିବେ । ଉଭୟ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। ହେମଗିରିକୁ ଯାଇ ଗୋପାଳପୁରର ତେଲେନଡ଼ିହି, ରତନସରା ଓ ଭୋଗରାକଚ୍ଛା ଖାଦାନକୁ ଯାଇ ବୁଲି ଦେଖିବେ। କିଭଳି ସୁନ୍ଦରଗଡ଼ରେ ରାଜ୍ୟର ସବୁଠାରୁ ବଡ଼ କୋଇଲା ସ୍କାମ ହୋଇଛି ତାହାର ଅନୁଧ୍ୟାନ କରିବେ ମନ୍ତ୍ରୀ । 

Advertisment

ତୃତୀୟ ଦିନରେ ଚଢ଼ାଉ କରିଛି ଖଣି ବିଭାଗର ସ୍ବତନ୍ତ୍ର ଟିମ୍‌। ବୁଧବାର ଜିଲ୍ଲାପ୍ରଶାସନ ଓ ଖଣି ବିଭାଗ ଆର୍ଯ୍ୟନ କୋଲ ୱାସେରିକୁ ସମ୍ପୂର୍ଣ ଭାବେ ସିଲ କରିବା ସହ, ଲାଇସେନ୍ସ ରଦ୍ଧ କରି ଥାନାରେ କମ୍ପାନି ବିରୁଦ୍ଧରେ ଏଫଆଇଆର କରିଥିଲେ । କମ୍ପାନୀ କାର୍ଯ୍ୟ ବନ୍ଦ କରିଛି କି ନାହିଁ ତାହାର ତଦନ୍ତ କରିଛନ୍ତି ଖଣି ଅଧିକାରୀ । ବେଆଇନ କୋଇଲାର ମାପ ଆରମ୍ଭ କରିଛି ଖଣି ବିଭାଗର ସ୍ୱତନ୍ତ୍ର ଟିମ । ସେପଟେ ଚୋରି ଘଟଣାରେ କାହାରିକୁ ଛଡ଼ାଯିବନି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ । ଯାଞ୍ଚ ପରେ ତଦନ୍ତକାରୀ ଟିମ୍ ଯେଉଁ ତଥ୍ୟ ଦେବ ପୋଲିସ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ। ଏନେଇ ପୋଲିସର ସ୍ୱତନ୍ତ୍ର ଟିମ ଖଣି ଚୋରି ଇଲାକାରେ ଛାନଭିନ ଜାରି ରଖିଛି l ବେଆଇନ କୋଇଲା କାରବାରରେ ଏପର୍ଯ୍ୟନ୍ତ ୩ଟି ମାମଲା ହୋଇଛି l ତେବେ ମୁଖ୍ୟ କାର୍ପଟଦାର କିଏ ତାହା ରହସ୍ୟରେ ରହିଛି ।