କନକ ବ୍ୟୁରୋ: ଯାହା ଛତ୍ରଛାୟା ତଳେ ଖଣି ଦୁର୍ନୀତି ଚାଲୁଥିଲା, ସେମାନେ ବର୍ତ୍ତି ପାରିବେ ନାହିଁ । ଆଜି ସୁନ୍ଦରଗଡ଼ ଗସ୍ତରେ ଆସି ଏଭଳି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କେବଳ ଲୁଟ୍ କରୁଥିବା ମାଫିଆ ନୁହଁ, ବରଂ ସେମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ବି ହେବ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଆଇଟି ଏହାର ତଦନ୍ତ କରୁଛି । ଆବଶ୍ୟକ ପଡ଼ିଲେ ଏସ୍ଆଇଟିକୁ ଆହୁରି ମଜଭୁତ କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
'ବର୍ତ୍ତିପାରିବେନି ଖଣି ମାଫିଆ'
ଦ୍ବିତୀୟ ଦିନରେ ଖଣି ଦୁର୍ନୀତିକୁନେଇ ହସ୍ତଗତ ଦସ୍ତାବିଜ ଘାଣ୍ଟୁଛି ଏସ୍ଆଇଟି । କଟକ ଅଫିସ୍ରେ ତନାଘନା ଚାଲିଛି । ଏହାପରେ ଗ୍ରାଉଣ୍ଡକୁ ଯିବ ତଦନ୍ତକାରୀ ଦଳ । ଗତ ଏପ୍ରିଲ୍ ୧୮ ତାରିଖରେ ତଦନ୍ତ କରିଥିଲେ ମନ୍ତ୍ରୀ । ଏହାପରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି…
- ଜିଲ୍ଲାପାଳଙ୍କ ରିପୋର୍ଟରେ ଅଛି କ’ଣ ?
- କି ଗୁପ୍ତ ତଥ୍ୟ ଦେଇଛନ୍ତି ସୁନ୍ଦରଗଡ଼ ଏସ୍ପି ?
- କାହାକୁ ଖୋଲା ଛୁଟ୍ ଦେଇଥିଲା କି ବନବିଭାଗ ?
- ଗ୍ରାଉଣ୍ଡ୍ ତଦନ୍ତକୁ କେବେ ଯିବ ଏସ୍ଆଇଟି ?
- ତଦନ୍ତ ଆଳରେ ଦିନ ଗଡ଼ାଉଛି କି ଭିଜିଲାନ୍ସ ?
- ପ୍ରମାଣ ନଷ୍ଟ ପାଇଁ ଦିଆଯାଉଛି କି ସମୟ ?
- ଦସ୍ତାବିଜରେ ଲୁଚିଛି କି ଦୁର୍ନୀତିର ମୂଳ ?
ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ କରୁଛ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଥିଲେ । ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସ୍ଆଇଟି ଗଠନ କରାଯାଇଛି । କନକ ନ୍ୟୁଜ ଲଗାତାର ଦେଢ଼ମାସ ଧରି ସୁନ୍ଦରଗଡ଼ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଚୋରି ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । ଏହି ଖଣିଗୁଡ଼ିକ ଗୋପାଳପୁର ରତ୍ନସୋରା ଏବଂ ଭୋଗରାକଚର ଗାଁରେ ଅଛି । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଯେଉଁଠାରୁ ବେଆଇନ ମାଙ୍ଗାନିଜ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ପଟାବେଡା, ମାଲଦା, କୋଲମଙ୍ଗ, ସାନପୁଟୁଳି ଓ ରୁସିବେଣୁଆ ଗାଁରେ ହଜାର ହଜାର ମେଟ୍ରିକ ଟନରୁ ଅଧିକ ମାଙ୍ଗାନିଜ ଓର୍ ଏବଂ ଆଇରନ ଓର୍ ବେଆଇନ ଭାବେ ଉତ୍ତୋଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/27/WOMU9ePUiGF8dYLGyiZf.jpg)